ଜଗତସିଂହପୁର, ୧୧/୮ (Bibhuti TV): ସ୍ୱାଧୀନତା ଦିବସ ଏବଂ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଚାଲିଥିବା ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଆଜି ଜଗତସିଂହପୁର ଜିଲ୍ଲାରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି।
ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୋଟରସାଇକେଲରେ ଯାତ୍ରାରେ ସାମିଲ ହୋଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏହି ଅବସରରେ ‘ସେଲ୍ଫି ୱିଥ୍ ତ୍ରିରଙ୍ଗା’, ଦସ୍ତଖତ ଅଭିଯାନ ଏବଂ ଦେଶଭକ୍ତି ସଙ୍ଗୀତ ପ୍ରସାର କରୁଥିବା ‘ହର ଘର ତ୍ରିରଙ୍ଗା’ ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।
ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏକ ହଜାରରୁ ଅଧିକ ଜିଲ୍ଲାବାସୀ ପଦଯାତ୍ରା, ସାଇକେଲ ଓ ମୋଟରସାଇକେଲ ରାଲିରେ ସାମିଲ ହୋଇଥିଲେ। ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସଅଁରାସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା।
ଯାତ୍ରାର ଆରମ୍ଭରେ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ତ୍ରିରଙ୍ଗା ପତାକା ସହ କାନଭାସରେ ଦସ୍ତଖତ କରି ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଜିଲ୍ଲାବାସୀଙ୍କୁ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ସମସ୍ତଙ୍କୁ ଦେଶପ୍ରେମର ବାର୍ତ୍ତା ଦେବା ସହ ଜଣେ ସଚେତନ ନାଗରିକ ଭାବେ ଜାତୀୟ ପତାକା ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାକୁ କହିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଦେଶଭକ୍ତିର ଭାବନା ସହ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।
ଯାତ୍ରା ସମୟରେ ‘ଜୟ ହିନ୍ଦ୍’ ଓ ‘ଘରେ ଘରେ ତ୍ରିରଙ୍ଗା’ ନାରାରେ ସମଗ୍ର ପରିବେଶ ଦେଶଭକ୍ତିମୟ ହୋଇଉଠିଥିଲା। ଏହା ସହିତ ଦେଶଭକ୍ତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଘୋଡ଼ା ନାଚ ପ୍ରଦର୍ଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଶୋୟୀଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ।
ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଏନସିସି, ଏନଏସଏସ, ଶିକ୍ଷକ-ଶିକ୍ଷୟିତ୍ରୀ, ଆଇନଜୀବୀ, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ମହିଳା, ନେହେରୁ ଯୁବ କେନ୍ଦ୍ର, ବି.କେ.ଏସ୍.ଏସ୍., ଅଳକା ଆଶ୍ରମର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ତ୍ରିରଙ୍ଗା ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସେଲ୍ଫି ଓ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ।
ଜଗତସିଂହପୁର ଜିଲ୍ଲାର ଏହି ବିଶାଳ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ଜାତୀୟ ପତାକା ପ୍ରତି ସମ୍ମାନର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚିଛି।
ଜଗତସିଂହପୁରରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ଯାତ୍ରାରେ ଉତ୍ସାହର ସହ ସାମିଲ ହେଲେ ହଜାରରୁ ଅଧିକ ଲୋକ

















Leave a Reply