ନିମାପଡ଼ା (ବିଭୂତି ଟିଭି): ଦୀର୍ଘ ୪ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନିମାପଡ଼ା ବଜାରଠାରୁ ଗୋପ ବ୍ରିଜ୍ ପର୍ଯ୍ୟନ୍ତ କୁଶଭଦ୍ରା ଡାହାଣ ପାର୍ଶ୍ୱ ନଦୀବନ୍ଧ ରାସ୍ତାର ଯୁଦ୍ଧକାଳୀନ ମରାମତି ପାଇଁ ଦାବି ଜୋର ଧରିଛି। ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା ବେଳେ, ଏହାର ତୁରନ୍ତ ମରାମତି ନିମନ୍ତେ “ଜାଗ୍ରତ ଯୁବଶକ୍ତି” ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ନିମାପଡ଼ା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଅରିଷଣ୍ଢ, ବାମଝାଟିପାଟଣା, ବାମଦେଇପୁର, ମୁରାରିପୁର, ତରଡ଼ାପଡ଼ା, ଓ ବେଣିପୁର ଦେଇ ଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନଦୀବନ୍ଧ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି। ମାତ୍ର ଦୀର୍ଘ ଦିନ ହେବ ରାସ୍ତାର ଶୋଚନୀୟ ସ୍ଥିତି ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଛି ଏବଂ ସ୍ଥାନୀୟ ଅଞ୍ଚଳବାସୀ ଚଳପ୍ରଚଳ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ପରିପ୍ରେକ୍ଷୀରେ “ଜାଗ୍ରତ ଯୁବଶକ୍ତି” ସଂଗଠନର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଜଳସେଚନ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କୁ ଭେଟି ରାସ୍ତାର ସାମ୍ପ୍ରତିକ ସ୍ଥିତି ଓ ଜନସାଧାରଣଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ଅତିଶୀଘ୍ର ଏହି ରାସ୍ତାର ଯୁଦ୍ଧକାଳୀନ ମରାମତି କାର୍ଯ୍ୟ ଆରମ୍ଭ ନହୁଏ, ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ। ଅଧିକାରୀମାନେ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ତ୍ୱରିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ନିମାପଡ଼ା-ଗୋପ କୁଶଭଦ୍ରା ନଦୀବନ୍ଧ ରାସ୍ତା ମରାମତି ଦାବି: ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲା “ଜାଗ୍ରତ ଯୁବଶକ୍ତି”
















Leave a Reply