ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅବକାରୀ ବିଭାଗ ପଞ୍ଝାରେ ନିଶା ବେପାରୀ

୪୨ ଗ୍ରାମ ହେରୋଇନ୍ ଜବତ, ଜଣେ ଗିରଫ
ଜଗତସିଂହପୁର, ୨୨/୦୯/୨୦୨୬ (ବିଭୂତି ଟିଭି):
ଜଗତସିଂହପୁର ସହରର କୋର୍ଟ ଛକ ଅଞ୍ଚଳରେ ଚଢ଼ାଉ କରି ଜଣେ କଥିତ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ରେଞ୍ଜ। ତାଙ୍କ ନିକଟରୁ ୪୨ ଗ୍ରାମ ବେଆଇନ ହେରୋଇନ୍ ଓ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଜଗତସିଂହପୁର ପୌରାଞ୍ଚଳସ୍ଥିତ କୋର୍ଟ ଛକ ଅଞ୍ଚଳରେ ଦୀର୍ଘଦିନ ଧରି ଲୁଚାଛପାରେ ବ୍ରାଉନ୍ ସୁଗାର କାରବାର ଚାଲୁଥିବା ନେଇ ଅଭିଯୋଗ ମିଳିଥିଲା। ଏହାକୁ ଆଧାର କରି ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଖିତୀଶ ଦାସଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀଙ୍କ ସହଯୋଗରେ ଏକ ଟିମ୍ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ କୋର୍ଟ ଷ୍ଟାଫ୍ କଲୋନୀ ନିକଟରୁ ଅବକାରୀ ଟିମ୍ ତାଙ୍କୁ କାବୁ କରିଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ୪୨ ଗ୍ରାମ ହେରୋଇନ୍ ଓ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ ହୋଇଥିଲା।
ଗିରଫ ଅଭିଯୁକ୍ତ ହେଲେ ଓହଳ ଗ୍ରାମର ମିର୍ଜା ସମସେର୍ ବେଗଙ୍କ ପୁଅ ମିର୍ଜା ଅଖତର ବେଗ୍ (୪୫)। ଜବତ ହେରୋଇନ୍‌ର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଗତସିଂହପୁର ରେଞ୍ଜ ଇନ୍ସପେକ୍ଟର ଖିତୀଶ ଦାସ ସୂଚନା ଦେଇଛନ୍ତି।
ଅଭିଯୁକ୍ତଙ୍କୁ ଜଗତସିଂହପୁର ଅବକାରୀ ରେଞ୍ଜ କେସ୍ ନମ୍ବର ୪୪/୨୦୨୬-୨୭ରେ ଗିରଫ କରାଯାଇ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଚଢ଼ାଉରେ ଜଗତସିଂହପୁର ଅବକାରୀ ରେଞ୍ଜର କନଷ୍ଟେବଳ ଅନୁରାଗ ସୂର୍ଯ୍ୟବଂଶୀ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କନଷ୍ଟେବଳ ବିଶ୍ୱରଞ୍ଜନ ସ୍ୱାଇଁ, ସୁକାନ୍ତ ମାଝୀ, ଶୁଭଶ୍ରୀ ବିଶ୍ୱାଳ, ବିଶ୍ୱନାଥ ମୁଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
ନାର୍କୋଟିକ୍ସ କାରବାର ବିରୋଧରେ ଆଗାମୀ ଦିନରେ ଚଢ଼ାଉକୁ ଆହୁରି ତୀବ୍ର କରାଯିବା ସହ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଅଭିଯାନ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷିକା ଶ୍ରୀମତୀ ଅନିତା ପ୍ରଧାନ କହିଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *