ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କୃଷି ଦେଶକୁ ସମୃଦ୍ଧ କରିବ ନା ରୋଗାକ୍ରାନ୍ତ?ଧାନ ବିହନ ଉତ୍ପାଦନ ବୃଦ୍ଧି ଓ ଜଳବାୟୁ ସହନଶୀଳ କିସମ ଉପରେ IRRI–ICAR ମିଳିତ ଆଲୋଚନା

ନୂଆଦିଲ୍ଲୀ, ୩ ଜୁନ୍ ୨୦୨୬: ଦେଶର କୃଷି ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱାବଲମ୍ବୀ ଓ ଚାଷୀଙ୍କ ଅନୁକୂଳ କରିବା ସହିତ ଉନ୍ନତ ଧାନ ବିହନର ଉତ୍ପାଦନ ଓ ଉପଲବ୍ଧତା ବୃଦ୍ଧି ନେଇ ନୂଆଦିଲ୍ଲୀସ୍ଥିତ ପୁସା କ୍ୟାମ୍ପସରେ ଏକ ଦିନିଆ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ (IRRI) ଓ ଭାରତୀୟ କୃଷି ଗବେଷଣା ପରିଷଦ (ICAR) ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧାନ ବିହନ କିସମ ପ୍ରଜନନ ଓ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ବୈଜ୍ଞାନିକ, ଗବେଷକ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ, ବିହନ ନିଗମର ପଦାଧିକାରୀ, ବେସରକାରୀ ବିହନ କମ୍ପାନୀ, କୃଷକ ଉତ୍ପାଦକ ସଂଗଠନ (FPO) ଓ NGO ପ୍ରତିନିଧିମାନେ ଯୋଗଦେଇଥିଲେ।
ଆଲୋଚନାରେ ଜଳବାୟୁ ପରିବର୍ତ୍ତନର ଧାନ ଚାଷ ଉପରେ ପ୍ରଭାବ, ଉନ୍ନତ ଓ ଗୁଣାତ୍ମକ ବିହନର ଉପଲବ୍ଧତା, ଚାଷୀଙ୍କ ଦ୍ୱାରା ବିହନ ବିକାଶ, ରାସାୟନିକ ସାର ଓ କୀଟନାଶକର ବ୍ୟବହାର, ମାଟିର ଉର୍ବରତା ଏବଂ ଜଳବାୟୁ ସହନଶୀଳ ଧାନ କିସମ ଉପରେ ଦୀର୍ଘ ସମୟ ଧରି ମତବିନିମୟ ହୋଇଥିଲା।
ଆଲୋଚନାରେ କୁହାଯାଇଥିଲା ଯେ, ଦେଶରେ ବ୍ୟବହୃତ ଧାନ ବିହନର ପ୍ରଜନନ ଓ ବିକାଶରେ ICAR, କୃଷି ବିଶ୍ୱବିଦ୍ୟାଳୟ, IRRI, ବେସରକାରୀ କମ୍ପାନୀ ଓ ଚାଷୀମାନଙ୍କର ଭୂମିକା ରହିଛି। ତେବେ ନୂତନ ଧାନ ବିହନ କିସମ ବିକଶିତ ହେଉଥିଲେ ମଧ୍ୟ ତାହା ସହଜରେ ଚାଷୀଙ୍କ ନିକଟରେ ପହଞ୍ଚିପାରୁନଥିବା ନେଇ ମତ ପ୍ରକାଶ ପାଇଥିଲା।
ବିଶେଷକରି ଚାଷୀମାନେ ନିଜସ୍ୱ ଅଭିଜ୍ଞତା ଓ ପାରମ୍ପରିକ ଜ୍ଞାନ ଆଧାରରେ ସଂରକ୍ଷଣ କରୁଥିବା ଦେଶୀ ଧାନ କିସମଗୁଡ଼ିକର ସଂରକ୍ଷଣ ଓ ବୈଜ୍ଞାନିକ ମୂଲ୍ୟାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଆଲୋଚନାରୁ ଉଠିଲା ପ୍ରମୁଖ ପ୍ରସ୍ତାବ
କମ୍ ଜୈବିକ ଖତସାର ବ୍ୟବହାରରେ ଅଧିକ ଉତ୍ପାଦନ ଦେଇପାରୁଥିବା ଧାନ ବିହନ କିସମ ବିକାଶ କରାଯିବା ଆବଶ୍ୟକ।
ଚାଷୀଙ୍କ ଆବଶ୍ୟକତା ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ବିହନ କିସମ ବିକାଶ ଓ ଉପଲବ୍ଧ କରାଯିବା ଆବଶ୍ୟକ।
ଚାଷୀମାନେ ବିକାଶ କରୁଥିବା ନୂତନ ଧାନ ବିହନ କିସମର ଗୁଣ, ମାନ ଓ ଅମଳ ପରୀକ୍ଷା ପାଇଁ ସରକାରୀ ସ୍ତରରେ ନିଶୁଳ୍କ ବ୍ୟବସ୍ଥା କରାଯିବା ଆବଶ୍ୟକ।
ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବନ୍ୟା, ମରୁଡ଼ି ଓ ଲୁଣାପାଣି ସହନଶୀଳ ଧାନ ବିହନ କିସମ ବିକାଶ କରାଯିବା ଆବଶ୍ୟକ।
ଦେଶରେ ଉପଲବ୍ଧ ସମସ୍ତ ବିଶ୍ୱାସଯୋଗ୍ୟ ଧାନ ବିହନକୁ ସାଥି ପୋର୍ଟାଲରେ ଦର୍ଜ କରାଯିବା ଆବଶ୍ୟକ, ଯାହାଦ୍ୱାରା ଚାଷୀମାନେ ସହଜରେ ବିହନ ସମ୍ପର୍କିତ ସୂଚନା ପାଇପାରିବେ।
ଆଲୋଚନାରେ କୃଷିକୁ କେବଳ ଅଧିକ ଉତ୍ପାଦନର ମାଧ୍ୟମ ଭାବେ ନୁହେଁ, ବରଂ ମାଟିର ସ୍ୱାସ୍ଥ୍ୟ, ଖାଦ୍ୟର ଗୁଣବତ୍ତା, ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ସହିତ ଜଡ଼ିତ ଏକ ସମ୍ବେଦନଶୀଳ ବିଷୟ ଭାବେ ଦେଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଚାଷୀ, ବୈଜ୍ଞାନିକ, ସରକାରୀ ସଂସ୍ଥା, ବିହନ ଉତ୍ପାଦନକାରୀ ଓ ବଜାର ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବଢ଼ାଇଲେ ଦେଶରେ ଗୁଣାତ୍ମକ ବିହନର ଉତ୍ପାଦନ ଓ ବ୍ୟବହାର ବଢ଼ିବା ସହିତ ଭାରତୀୟ କୃଷିକୁ ଅଧିକ ସ୍ଥାୟୀ ଓ ସମୃଦ୍ଧ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା।
ସୂଚନାଦାତା:
କ୍ଷେତ୍ରମୋହନ ବେହେରା
ଜଗତସିଂହପୁର, ଓଡ଼ିଶା
ମୋବାଇଲ୍: 9937709899
ବିଭୂତି TV

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *