ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ପଞ୍ଚାୟତ ସମିତିର ୮ମ ସାଧାରଣ ପରିଷଦ ବୈଠକବ୍ଲକ ବିକାଶ ପାଣ୍ଠି ବଣ୍ଟନ, ଆବାସ ଯୋଜନାରେ ବଞ୍ଚିତଙ୍କୁ ନେଇ ଉଦବେଗ; କୃଷି ଓ ଉଦ୍ୟାନ ବିଭାଗର କାର୍ଯ୍ୟକୁ ନେଇ ସଦସ୍ୟଙ୍କ ପ୍ରଶ୍ନ

ନିମାପଡ଼ା, ୨୧/୮ (BT): ନିମାପଡ଼ା ପଞ୍ଚାୟତ ସମିତିର ୮ମ ସାଧାରଣ ପରିଷଦ ବୈଠକ ଆଜି ବ୍ଲକର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଞ୍ଚାୟତ ସମିତି ବିକାଶ ପାଣ୍ଠି, ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ), କୃଷି ଓ ଉଦ୍ୟାନ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏଜେଣ୍ଡା ଅନୁଯାୟୀ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ବ୍ଲକ ଡେଭଲପମେଣ୍ଟ ଫଣ୍ଡର ବଣ୍ଟନ ଓ ଯୋଜନା ପ୍ରଣୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ପଞ୍ଚାୟତକୁ ବ୍ଲକ ବିକାଶ ପାଣ୍ଠିରୁ ୭.୫ ଲକ୍ଷ ଟଙ୍କା ଅନୁଦାନ ଦେବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ଆବାସ ଯୋଜନାରେ ଗରିବଙ୍କୁ ନେଇ ପ୍ରଶ୍ନ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗାଇଡଲାଇନ୍‌ ଯୋଗୁଁ ବହୁ ସଂଖ୍ୟକ ଗରିବ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ବୈଠକରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ଆବାସ ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନିଜସ୍ୱ ଆବାସ ଯୋଜନାରେ ସାମିଲ କରିବାକୁ ବୈଠକରେ ଦାବି ଉଠିଥିଲା।
ସାର କଳାବଜାରୀକୁ ନେଇ ଉଦବେଗ
କୃଷି ବିଭାଗ ସମ୍ପର୍କିତ ଆଲୋଚନା ସମୟରେ ସାର କଳାବଜାରୀ ପ୍ରସଙ୍ଗ ଉଠାଇ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ଚାଷୀଙ୍କୁ ଠିକ୍ ସମୟରେ ଆବଶ୍ୟକ ପରିମାଣରେ ସାର ଯୋଗାଣ ଏବଂ କଳାବଜାରୀ ରୋକିବା ପାଇଁ ବିଭାଗୀୟସ୍ତରରେ ଅଧିକ ତତ୍ପରତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
“ଚାଷ କମ୍, କର୍ମଶାଳା ଅଧିକ” — ଉଦ୍ୟାନ ବିଭାଗକୁ ନେଇ ସଦସ୍ୟଙ୍କ ଅସନ୍ତୋଷ
ଉଦ୍ୟାନ ବିଭାଗର କାର୍ଯ୍ୟଧାରାକୁ ନେଇ ମଧ୍ୟ ବୈଠକରେ ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ। କାକୁଡ଼ି, ଜହ୍ନି, କଲରା, ଲାଉ ଭଳି ଲଟାଜାତୀୟ ଫସଲ ଚାଷ ପାଇଁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କୁ ବାସ୍ତବ ସହାୟତା ଦେବା ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଥିଲା।
ଚଳିତ ବର୍ଷର ଫସଲ ଉତ୍ପାଦନ ଓ ଚାଷୀଙ୍କ ସମସ୍ୟା ଉପରେ ଅଧିକ ଧ୍ୟାନ ନଦେଇ କେବଳ କର୍ମଶାଳା ଆୟୋଜନ କରାଯାଉଥିବା ନେଇ କେତେକ ସଦସ୍ୟ ଅଭିଯୋଗ କରିଥିଲେ। ଫୁଲ ଓ ଛତୁ ଚାଷ ନେଇ ଆୟୋଜିତ କର୍ମଶାଳାରେ ଛୋଟ ପ୍ଲାଷ୍ଟିକ ଫୋଲ୍ଡର, ପ୍ୟାଡ୍‌ ଓ ଡଟ୍‌ପେନ୍‌ ବଣ୍ଟନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ବିଭାଗର ମୁଖ୍ୟ କାର୍ଯ୍ୟ ଚାଷୀଙ୍କୁ ଉତ୍ପାଦନ ବୃଦ୍ଧିରେ ସହାୟତା କରିବା ହୋଇଥିବା ବେଳେ “ଚାଷ କମ୍ ଏବଂ କର୍ମଶାଳା ଅଧିକ” ବୋଲି ସଦସ୍ୟମାନେ ମତ ରଖିଥିଲେ।
ପୂର୍ବ ବୈଠକର ପ୍ରସ୍ତାବ ଦୃଢୀକରଣ
ଗତ ୯ ସେପ୍ଟେମ୍ବର ୨୦୨୫ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ଦୃଢୀକରଣ କରାଯିବା ସହ ଏହାର ଏକ ନକଲ ସଦସ୍ୟମାନଙ୍କୁ ବଣ୍ଟନ କରାଯାଇଥିଲା।
ବୈଠକରେ ବିଡିଓ ଅଭିଜିତ ଷଡ଼ଙ୍ଗୀ, ବ୍ଲକ ଉପାଧ୍ୟକ୍ଷ, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ଅତିରିକ୍ତ ବିଡିଓ ପ୍ରିୟଦର୍ଶିନୀ ବରାଳ, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ପାନୀୟ ଜଳ ଯୋଗାଣ ଅଧିକାରୀ ପ୍ରବୀର କୁମାର ବଳ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚୀନ୍ଦ୍ର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହା ସହ ପଞ୍ଚାୟତ ସମିତିର ସଭ୍ୟସଭ୍ୟା, ସରପଞ୍ଚମାନଙ୍କ ସମେତ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟର ଅଧିକାରୀ ଓ ବ୍ଲକ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ।
ରିପୋର୍ଟ: ବିଭୁତି TV | ନିମାପଡ଼ା

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *