ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ । ଆଜି ବି ବିଧାନସଭା ଚଲାଇ ଦେଲେ ନାହିଁ ବିରୋଧୀ । ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହରେ ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଗୃହ କାର୍ଯ୍ୟ ଦିନ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ ।ରାମ ନାମ ସତ୍ୟ ହେ, ହରିନାମ ସତ୍ୟ ହେର ନାରାରେ ପ୍ରକମ୍ପିତ ହେଲା ବିଧାନସଭା । କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁକୁ ନେଇ ଆଜି ବିଧାନସଭାରେ ଭରି ହଙ୍ଗାମା ଦେଖିବାକୁ ମିଳିଲା । ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଏହି ଘଟଣାକୁ ନେଇ ଗଭୀର ଆକ୍ରୋଶ ପ୍ରକାଶ କରିବା ସହ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ।
ପ୍ରତୀକାତ୍ମକ ପ୍ରତିବାଦରେ ବିରୋଧୀ ବିଧାୟକମାନେ “ସ୍ୱାସ୍ଥ୍ୟ ବିଭାଗର ମୃତ୍ୟୁ” ଅଭିଯୋଗ ଆଣି କୋକେଇରେ ବାନ୍ଧି ଖଇ କଉଡ଼ି ବିଞ୍ଚି ଶ୍ମଶାନକୁ ନେବା ଭଳି ଅଭିନବ ପଦକ୍ଷେପ ନେଇଥିଲେ । ସ୍ଲୋଗାନ ଦେଇ ସରକାର ବିରୋଧରେ ତୀବ୍ର ଆକ୍ରୋଶ ଜାହିର କରିଥିଲେ, ଯାହା ଫଳରେ ବିଧାନସଭା କାର୍ଯ୍ୟ କିଛି ସମୟ ପାଇଁ ସ୍ଥଗିତ ହୋଇଥିଲା ।ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ ଯେ, କଟକ ଭଳି ଏକ ବଡ଼ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ୱେ ସରକାର ତଦନ୍ତ ନାମରେ ଚୁପ୍ ରହିଛନ୍ତି । ପୂର୍ବତନ ସରକାର ସମୟରେ ଏପରି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ତତକ୍ଷଣାତ୍ ଇସ୍ତଫା ଦେଇଥିଲେ, କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ନେଉନାହାନ୍ତି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସରକାରଙ୍କୁ କଟୁ ଆକ୍ରମଣ କରି କହିଛନ୍ତି ଯେ, “ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଯୋଗୁ ଏତେ ବଡ଼ ଦୁର୍ଘଟଣା ଘଟିଛି । ତଦନ୍ତ ହେଉଥିବା କହାଯାଉଥିଲେ ମଧ୍ୟ କୌଣସି ରିପୋର୍ଟ ସାର୍ବଜନୀନ ହୋଇନାହିଁ । ମୃତକ ସଂଖ୍ୟା ବଢୁଥିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ହିଁ ଏକମାତ୍ର ଉତ୍ତର,” ବୋଲି ସେ ଦାବି କରିଛନ୍ତି ।
ଏହାକୁ ପାଲଟା ଜବାବ ଦେଇ ଶାସକ ଦଳ କହିଛି ଯେ, “ସରକାର ଏହି ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି ଓ ନ୍ୟାୟିକ ତଦନ୍ତ ଆଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱୟଂ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶାସକ ଦଳ ନିଶ୍ଚିତ କରିଛି ।” ଏହାସହ ବିରୋଧୀଙ୍କ ପ୍ରତିବାଦକୁ ରାଜନୈତିକ ନାଟକ ବୋଲି ଆଖ୍ୟା ଦେଇଛି ।

















Leave a Reply