ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜାତୀୟ ପ୍ରେସ ଦିବସ ଏବଂ ଚଇତାଳି ପାଳନ ନିମନ୍ତେ ପ୍ରେସକ୍ଲବର ପ୍ରସ୍ତୁତି ବୈଠକ

ଆସନ୍ତା ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ ନିମନ୍ତେ ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରେସକ୍ଲବ ସଭାପତି ଅକ୍ଷୟ ବେହେରାଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ପ୍ରେସ ଦିବସ ସମେତ ନିମାପଡ଼ା ପ୍ରେସକ୍ଲବର ବାର୍ଷିକ ଉତ୍ସବ ‘ଚଇତାଳି’ ପାଳନ ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ବ୍ଲକସ୍ତରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସ୍ଥିର କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉତ୍ସବକୁ ଉଦଘାଟନ କରିବା ନିମନ୍ତେ ପୂର୍ବରୁ ସମ୍ମତି ପ୍ରଦାନ କରିସାରିଥିବା ବେଳେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅନେକ ସାମ୍ବାଦିକ ବନ୍ଧୁ, ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ଥିର କରାଯାଇଛି ବୋଲି ସଭାପତି ଅକ୍ଷୟ ବେହେରା ଜଣାଇଛନ୍ତି। ପ୍ରେସ୍ ଦିବସ ସମେତ ଚଇତାଳି ଉତ୍ସବ ପାଳନ ହେବାକୁ ସ୍ଥିର କରାଯାଇ ଥିବାରୁ ଏହାକୁ ଅଧିକ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବା ନିମନ୍ତେ ସମସ୍ତ ସଦସ୍ୟ ମତପ୍ରକାଶ କରିଥିଲେ। ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓଡ଼ିଶାର ନାମକରା ମେଲୋଡି ପାର୍ଟି ମେଲୋଡି ପରିବେଷଣ ନିମନ୍ତେ ସ୍ଥିର କରାଯାଇଥିବା ଜଣାପଡିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *