ନିମାପଡ଼ା BT- (୨୬.୦୨.୨୦୨୬): ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ପଞ୍ଚାୟତ ସମିତି ଦ୍ୱାରା ସାମାଜିକ ସୁରକ୍ଷା ଭତ୍ତା ପାଇବା ପାଇଁ ନୂତନ ଭାବେ ଅନୁମୋଦିତ ହୋଇଥିବା ୪୦୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । ଏହି ଅବସରରେ ନୂତନ ଭାବେ ମୋଟ ୨୮୨ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ଏବଂ ୧୨୦ ଜଣଙ୍କୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ୮୮୪ ଜଣଙ୍କୁ ନୂଆ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ନିମାପଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ମିନଲତା ମହାନ୍ତି ଏବଂ ସମସ୍ତ ପଞ୍ଚାୟତର ଜନପ୍ରତିନିଧିଗଣ ଉପସ୍ଥିତ ଥିଲେ ।
ଏହାପରେ ସେ ମହାନ ସନ୍ଥକବି ଭକ୍ତ ବଳରାମ ଦାସଙ୍କ ଗାଦିର ଉନ୍ନତିକରଣ ଏବଂ ମା’ ଲକ୍ଷ୍ମୀଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ବାବଦରେ ଏକ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ । ସେ ଏହି ଅବସରରେ କହିଥିଲେ, “ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ ସମର୍ପିତ ସୁଦଶା ବ୍ରତର ପବିତ୍ର ଦିନରେ ଏହି ଅଭିନବ ପ୍ରୟାସ ବାବଦରେ ଆଲୋଚନା ହେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ । ‘ଲକ୍ଷ୍ମୀ ପୁରାଣ’ର ରଚୟିତା ଭକ୍ତ ବଳରାମ ଦାସଙ୍କ ଗାଦିକୁ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବାରେ ଆମ ସରକାରଙ୍କ ପ୍ରୟାସରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ପ୍ରମୁଖ ଭୂମିକା ଗ୍ରହଣ କରିବ ।” ଏହି ବୈଠକରେ ବିଶିଷ୍ଟ ଶିଳ୍ପୀଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ଏହାପରେ ସେ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନା ଅଧୀନରେ ନିମାପଡ଼ା ପଞ୍ଚାୟତ ସମିତିରେ କାର୍ଯ୍ୟକାରୀ ହେବାକୁ ଥିବା ମୋଟ ୧୬୭ଟି ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୯ କୋଟି ୨୨ ଲକ୍ଷ ୭ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ଜରିଆରେ ଓଡ଼ିଶାର ବିକାଶ ପାଇଁ ଆମ ସରକାରଙ୍କ ଦୃଢ଼ ସଂକଳ୍ପର ପ୍ରତିଫଳନ ସ୍ୱରୂପ ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ଅଧିକାରୀଗଣ ଏବଂ ଆଭାସୀ ମାଧ୍ୟମରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧିଗଣ ଉପସ୍ଥିତ ଥିଲେ ।

















Leave a Reply