ଭୁବନେଶ୍ବର: ଘରେ ଘରେ ପହଞ୍ଚିବ ଭାଗବତ । ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗିର ହେବ ପୁନରୁଦ୍ଧାର । ଶ୍ରୀମଦ ଭାଗବତ ମହୋତ୍ସବ ଭକ୍ତି, ସମ୍ମାନ ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ । ସମାଜର ବିକାଶ ନିମନ୍ତେ ଯୁବପିଢ଼ି ଭାଗବତ ତତ୍ତ୍ୱକୁ ଗ୍ରହଣ କରିବା ଉଚିତ । ଯୁବ ବର୍ଗଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବରର କଟକ ରୋଡ ତେରାପନ୍ଥ ଭବନରେ ଆୟୋଜିତ ଶ୍ରୀମଦ ଭାଗବତ ମହୋତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଶ୍ରୀମଦ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ସହିତ ଜନସାଧାରଣଙ୍କୁ ଭଗବତ କାର୍ଯ୍ୟରେ ସଂପୃକ୍ତ କରେ । ସେହି ଦୃଷ୍ଟିରୁ ଏହି ମହୋତ୍ସବ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରୀମଦ ଭାଗବତ ଗ୍ରନ୍ଥରେ ବର୍ଣ୍ଣିତ ପାଞ୍ଚଟି ମୂଳତତ୍ତ୍ୱ ଇଶ୍ବର, ଜୀବ, ପ୍ରକୃତି, କାଳ ଏବଂ କର୍ମକୁ ନେଇ ଏ ବିଶ୍ବ ସଞ୍ଚାଳିତ । ସେଥିପାଇଁ ସନାତନ ପରମ୍ପରାରେ ଜୀବନ ଦୀପ ଲିଭିବା ପୂର୍ବରୁ ଶ୍ରୀମଦ ଭାଗବତ ଶୁଣି ଶେଷ ନିଶ୍ବାସ ତ୍ୟାଗ କରିବା ପ୍ରତ୍ୟେକ ସନାତନୀର ଶେଷ ଇଚ୍ଛା ହୋଇଥାଏ । ଏଥିପାଇଁ ସମସ୍ତେ ପ୍ରତ୍ୟହ ଭାଗବତ ପାଠ କରନ୍ତୁ । କାରଣ ଏହା ଆମ ଜୀବନକୁ ଏକ ସୁସ୍ଥ ଧାର୍ମିକ ଓ ନୈତିକ ଦିଗରେ ନେଇଥାଏ । ଏହି ପ୍ରକାରର ମହୋତ୍ସବ ସମାଜରେ ଏକତାର ସୂଚକ । ଏହା ଭକ୍ତି, ସମ୍ମାନ, ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ । ଏହି ମହୋତ୍ସବର ଅନୁଭୂତି ଓ ଶିକ୍ଷା ଉପସ୍ଥିତ ସମସ୍ତଙ୍କ ଜୀବନରେ ନୀତିମୂଳକ, ଧର୍ମୀୟ ଓ ସାମାଜିକ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।”
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଗତକାଲି ରାଜ୍ୟର ସବୁ ପୁରାତନ ଓ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢଙ୍କୁ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଇଛି । ଯାହା ଓଡିଶାରେ ପ୍ରଥମ ଥର ପାଇଁ ହୋଇଛି । ଶୀତଳ ଷଷ୍ଠୀ ଯାତ୍ରା ହେଉ କି ଧନୁଯାତ୍ରା ହେଉ କି ଓଡିଶାର ମନ୍ଦିର ମଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାର ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି । ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ । ପଦ୍ମଶ୍ରୀ ବାବା ବଳିଆ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଅସ୍ମିତାର କାର୍ଯ୍ୟକାରିତା ନିଖୁଣ ଭାବେ ସମ୍ପାଦନ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ସମୟରେ ଶ୍ରୀମଦ ଭାଗବତର ତତ୍ତ୍ୱକୁ ପ୍ରତ୍ୟେକ ଓଡ଼ିଆ ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଓଡ଼ିଆ, ଭାଷା ସଂସ୍କୃତି ଓ ସାହିତ୍ୟ ସମେତ ଭଗବତ ଚିନ୍ତା ଚେତନାର ପୁନଃ ନବୀକରଣ ହେବ ।”



















Leave a Reply