ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ, ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର । ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି । ସକ୍ରିୟ ଥିବା ସଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତ୍ତନରୁ ପ୍ରାୟ 5.8 କି.ମି. ପର୍ଯ୍ୟନ୍ତ ବିସ୍ତାରିତ ରହିଛି । ଏହା ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି ।
ଲଘୁଚାପ ପ୍ରଭାବରେ ଆଜି ୮ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଯାହାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା- ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଏବଂ ଭଦ୍ରକ । ସେହିପରି ଆସନ୍ତାକାଲି (ମଙ୍ଗଳବାର) ଯାଜପୁର, କଟକ ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଝଟକା ପବନ ୩୦ରୁ ୪୦ କିଲୋମିଟର ବେଗରେ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ଵରରେ ୩୫.୪ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖୁଲା ରହିଥିବା ବେଳେ ରାତ୍ରି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ଏହାସହ ପାଗରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଆସନ୍ତା 24 ରୁ 25 ତାରିଖ ମଧ୍ୟରେ ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଏଥିପାଇଁ ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବଜ୍ରପାତ ସହ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

















Leave a Reply