ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନରେ ଆଜି(ବୁଧବାର) ଶୀତଳ ଭଣ୍ଡାରକୁ ନେଇ ଗୃହ ସରଗରମ। ଶୀତଳ ଭଣ୍ଡାର ନିର୍ମାଣରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ଓ ପୂର୍ବରୁ ବାହା ବାହା ନେଉଥିବା ବିଜେଡି ସରକାର କେବଳ କଥାରେ କହୁଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆଜି ଶୀତଳ ଭଣ୍ଡାର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ତାଙ୍କର ଅଭିଯୋଗ ଡବଲ ଇଞ୍ଜିନ ସରକାର ଯାହା ପ୍ରତିଶୃତି ଦେଇଥିଲେ ତାହା କାର୍ଯ୍ୟକାରୀ ହୋଇନାହିଁ। ତେବେ ଉତ୍ତରରେ ଶାସକ ଦଳ କହିଛି ଯେ, କୌଣସି ଘର ରାତାରାତି ହୁଏ ନାହିଁ। ତେଣୁ ଏହା ପାଇଁ ସମୟ ଲାଗିବ। ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ସମୟ ଦରକାର। ଏନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହରେ ସୂଚନା ଦେଇଛନ୍ତି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।
ସରକାର ଯଦି ଚାଷୀର ବିକାଶ କରିବା ଲାଗି ଚାହୁଁଛନ୍ତି ତାହେଲେ ପ୍ରତ୍ୟକ ବ୍ଲକରେ କୋଲ୍ଡ ଷ୍ଟରେଜ ନିର୍ମାଣ କରନ୍ତୁ। ଚାଷୀମାନଙ୍କୁ ହତାଶ କରୁଛନ୍ତି ଏ ସରକାର। ଚାଷୀଙ୍କର ଆୟ ବୃଦ୍ଧି ହୋଇନାହିଁ। ଓଡିଶା ଏତେ ବଡ଼ ରାଜ୍ୟ, ସମସ୍ତ ଗ୍ରାମପଂଚାୟତରେ ଶୀତଳ ଭଣ୍ଡାର ହେବା କଥା। ସରକାର ବଦଳୁଥିବା ବେଳେ କୋଲ୍ଡ ଷ୍ଟରେଜର ଭାଗ୍ୟ ବଦଳୁନନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ।
ଘରୋଇ ଭାଗିଦାରୀରେ ଶୀତଳ ଭଣ୍ଡାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ବି ଚାଷୀଙ୍କ ଆବଶ୍ୟକତା ପୁରଣ ହେଉନାହିଁ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଶୀତଳ ଭଣ୍ଡାର ପାଇଁ 252 କୋଟି ଦେଇଛନ୍ତି, ଯାହା 58ଟି ସବଡିଭିଜନରେ ପ୍ରତିଷ୍ଠା କରାଯିବ। ଜାନୁଆରୀ ମାସରେ ପ୍ରକ୍ରିୟା ଆରମ୍ଭ ହୋଇଛି, ଆବଶ୍ୟକ ପଡିଲେ ବ୍ଲକ୍ ସ୍ତରରେ ପ୍ରତିଷ୍ଠା କରାଯିବ ଶୀତଳ ଭଣ୍ଡାର ବୋଲି ଗୃହରେ ସୂଚନା ଦେଇଛନ୍ତି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଏହାର କ୍ଷମତା ରହିଛି ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍। ବିଗତ ୧୦ ବର୍ଷରେ ୨୬ଟି ନିର୍ମାଣ ହୋଇଛି। ୨୨ଟି କାର୍ଯ୍ୟକ୍ଷମ ଅଛି, ୪ଟି କାର୍ଯ୍ୟକ୍ଷମ ନାହିଁ। ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ରହିଥିବା ବେଳେ ସେଥିରୁ ୯୮ଟି କାର୍ଯ୍ୟକ୍ଷମ ନାହିଁ। ଯେଉଁଥିରୁ ୨୦ଟି ସରକାରୀ ଓ 78ଟି ବେସରକାରୀ ଶୀତଳଭଣ୍ଡାର ରହିଛି। ଯାହାର କ୍ଷମତା ୨.୨୯ ଲକ୍ଷ ମେଟ୍ରିକ୍ ଟନ୍। ନୂଆ ଶୀତଳ ଭଣ୍ଡାର ପାଇଁ ସରକାର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ସବ ଡିଭିଜନ ସ୍ତରରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗକୁ ବ୍ଲକ ସ୍ତରରେ ନିର୍ମାଣ ପାଇଁ ଯୋଜନା ରହିଛି। ୧୫ଟି ନୂଆ ଶୀତଳ ଭଣ୍ଡାର ପାଇଁ ଦରଖାସ୍ତ ପହଞ୍ଚିଛି। ୨ଟି ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ଯେଉଁଥିରୁ ୫ଟିକୁ ସରକାର ଅନୁମୋଦନ ଦେଇଛନ୍ତି। ସରକାର ସବସିଡି ଦେବା ସହ ବିଦ୍ୟୁତ ଶୁଳ୍କ ରିହାତି ପାଇଁ ବି ବ୍ୟବସ୍ଥା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨୩୯ଟି ସୋଲାର କୋଲ୍ଡ ରୁମ ଖୋଲାଯିବ, ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

















Leave a Reply