ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆଜ୍ଞା ନମସ୍କାର

ଆଜ୍ଞା ନମସ୍କାର

  • ନିତ୍ୟାନନ୍ଦ ମହାନ୍ତି

ସୁଦୂର ଏକ ଅଜ୍ଞାତ ପାହାଡିଆ ଜାଗାକୁ ମୋର ପ୍ରଥମ ଶୀତକାଳୀନ ଯାତ୍ରା l ବନ୍ଦୋବସ୍ତ ସବୁ ସରିଥାଏ l ମାତ୍ର ଅଟକି ଯାଇଥାଏ
ଯାତ୍ରାରମ୍ଭ ଜ୍ୟାକେଟ ପାଖରେ l କେବେକେବେ ସେଇଟିକୁ କେବଳ ଦେହରେ ଜଡେଇ ଧରିବାର ଆବଶ୍ୟକତାକୁ ଅନୁଭବ କରି ପତ୍ନୀଙ୍କ ସପ୍ରେମ ଆହ୍ଵାନରେ କିଣା ଯାଇଥିଲା l
ତେବେ ତିନି ଚାରିବର୍ଷରେ ହୁଏତ ମୁଁ ତାକୁ ଥରେ କି ଦୁଇଥର ଦେହରେ ଗଳେଇଥିବି l ବେଳେବେଳେ କେହି ନ ଥିଲା ବେଳେ ଅଧିକ ଉତ୍ସାହିତ ହେଇ ତାକୁ ଦର୍ପଣ ଆଗରେ ପିନ୍ଧି ଦେଖିଛି ମତେ କେତେମାତ୍ରାରେ ମାନୁଛି କି ନାହିଁ? ମୋର ପତଳା ଦେହ l ତହୁଁ ସାଙ୍ଗକୁ ସାମାନ୍ୟ ଉହୁଙ୍କା ଅର୍ଦ୍ଧ ଗୋଲାକାର ପେଟ l ତା ଉପରେ ଏମନ୍ତ ଯେ ଢଳଢଳ ଆଚ୍ଛାଦନ ଗୋଟାକ ମୋର ରମଣୀୟତା କେତେ ମାତ୍ରାରେ ବୃଦ୍ଧି କରୁଛି ବୋଲି ପଚାରିଲେ ପତ୍ନୀ ସଂକ୍ଷିପ୍ତ ସହାସ୍ୟ ଉତ୍ତର ଦେଇ କହନ୍ତି – ବାପ୍ ରେ କି ଚମତ୍କାର ଦେଖା ନ ଯାଉଛ ତମେ!ସାହିତ୍ୟ ଫାଇତ୍ୟ ଆସରକୁ ଏଇଟି ଏକଦମ୍ ଫିଟ୍ l ଏଇଟି କିନ୍ତୁ ମୋର ଖୁବ୍ ଚଏସ l ଆଉ ଗୋଟିଏ ଖଇରିଆ ରଂଗର ଜ୍ୟାକେଟ ମେଳାରୁ କିଣି ଆଣି ପିନ୍ଧିଥିଲେ ଆହୁରି ଭଲ ଲାଗିଥାଆନ୍ତା l
ସେଇ ଜ୍ୟାକେଟ ପାଖରେ ଯାତ୍ରା ମୋର ଏବେ ଅଟକି ରହିଛି l ଜ୍ୟାକେଟ କେଉଁ ସନ୍ଧିରେ ରହିଯାଇଛି ଖୋଜା ଚାଲିଛି ଯେ ଚାଲିଛି ଘଂଟାଏ ହେଲାଣି l ଶେଷରେ ଅପହୃତ ଜ୍ୟାକେଟ ଟିର ସନ୍ଧାନ ପାଇ ପତ୍ନୀ ଏପରି ମୁହଁଟେ କରି କହିଲେ ମୁଁ ଭାବିଲି ନିଶ୍ଚୟ ଯାତ୍ରାକାଳୀନ ଏହା ଏକ ଅଶୁଭ ସଂକେତ l
ମନ ଭିତରେ ଅସନ୍ତୋଷକୁ ଚାପି ନୀରବରେ ଯାତ୍ରା ପଥରେ
ବାହାରି ପଡ଼ିଲି l ନିର୍ଦ୍ଦିଷ୍ଟ ସ୍ଥାନରେ ପହଁଚିଲା ବେଳକୁ ପ୍ରାୟ ବାରଘଣ୍ଟା ବିତି ଯାଇଥାଏ l ରାତ୍ର କାଳୀନ ସୁଦୂର ଯାତ୍ରାପଥ
କେବଳ ଅନିଦ୍ରା ଏବଂ ଆତଙ୍କରେ ଥିଲା l ସହଯାତ୍ରୀମାନେ
ସମସ୍ତେ ଢ଼ୁଳେଇ ପଡ଼ିଥିଲାବେଳେ ମୁଁ ତ୍ରସ୍ତ ଏବଂ ଅର୍ଦ୍ଧ ଚେତନ ଅବସ୍ଥାରେ ଥିଲି l ପାହାଡିଆ ଘାଟି ରାସ୍ତା l ବେଳେବେଳେ ବସ୍ ଉପରକୁ ଯାଇ ଦ୍ରୁତ ଗତିରେ ତଳକୁ ଖସିଲା ବେଳକୁ ଛାତି ଭିତରେ ଅଜଣା ଭୟ ଏମିତି ଚାପ ସୃଷ୍ଟି କରିଥାଏ ଯେ ତା ଭିତରେ ଆଖି ଯୋଡ଼ିକ ମୋର ଖୋଜୁଥାଏ ଏକ ନିରାପଦ ଜୀବନ l ରାତ୍ରି ସାରା ଉନ୍ନିଦ୍ର ଜନିତ କ୍ଳାନ୍ତି l
ନିର୍ଦ୍ଧାରିତ ସମୟରେ ଆମେ ପହଞ୍ଚି ଯାଇଥିଲୁ ବିନିକା ବିରାଜତଫାଉଣ୍ଡେସନ ପାଖରେ l କବି ନିରଞ୍ଜନ ପଣ୍ଡାଙ୍କ ସହାୟତାରେ ଆୟୋଜିତ କବିତା ଆସରରେ ଯୋଗ ଦେବା ପୂର୍ବରୁ ଆମ ପାଇଁ ବୁକିଙ୍ଗ ହେଇଥିବା ହୋଟେଲରେ କିଛିସମୟ ବିଶ୍ରାମ ନେଲୁ l ଖୁବ୍ ଆଡମ୍ବର ପୂର୍ଣ୍ଣ ଥିଲା କବିତା ଆସର l ପ୍ରାୟ ସତେଇଶଟି ଜିଲ୍ଲାରୁ ନିମନ୍ତ୍ରିତ ହୋଇ ଆସିଥିଲେ ବହୁ କବି ଏଵଂ କବୟିତ୍ରୀ l ଅନେକ ଚିହ୍ନା ଅଚିହ୍ନା କବିଙ୍କର ଉପସ୍ଥିତି ମତେ ଖୁବ୍ ଭାବୁକ୍ କରିପକେଇଥିଲା l ପ୍ରାତଃ ୮ ଟାରୁ ପ୍ରାୟ ୩ .୩୦ ପର୍ଯ୍ୟନ୍ତ ସାହିତ୍ୟ ଆସରଟି ବେଶ୍ ଉପଭୋଗ୍ୟ ଥିଲା l ତାପରେ ବିଦାୟ ମୁହୂର୍ତ୍ତ l ଯୋଜନା ଥିଲା ଆମର ଅନେକ l ମନ୍ଦିର
ମାଳିନୀ ସୋନପୁର ( ସୁବର୍ଣ୍ଣପୁର ) ର ସଂସ୍କୃତି ଐତିହ୍ୟକୁ
ସ୍ଵଳ୍ପ ରହଣି ଭିତରେ ଦେଖି ନୟନ ମନକୁ ତୃପ୍ତ କରିବି ବୋଲି
ମୁଖ୍ୟତଃ ଏ ଥିଲା ମୋର ସ୍ଵତନ୍ତ୍ର ଯାତ୍ରା l
ଶେଷ ହେଇଆସୁଥାଏ ଦିନ l ରାତ୍ରି ଅତିବାହିତ ବିନିକାରେ
କରିବା କି ସମ୍ବଲପୁର ଯାଇ ଟ୍ରେନ୍ ଧରି ଯେଯାହା ପଥ ଧରିବା ଏଇ କଥା ଭାବୁ ଭାବୁ ଜଣେ କବିବଂଧୁ ହଠାତ୍ କହି
ଉଠିଲେ ଗଙ୍ଗାଧର ମେହେର କଲେଜରେ ତାଙ୍କର ପ୍ରୋଗ୍ରାମ
ରହିଛି l ବରିଷ୍ଠ କବିବନ୍ଧୁଙ୍କର ବ୍ୟସ୍ତତାକୁ ଦେଖି ବାଧ୍ୟହୋଇ ସୋନପୁରର ସ୍ମୃତିକୁ ଅପୂର୍ଣ୍ଣ କରି ଫେରିଆସିଲୁ ସମ୍ବଲପୁର l
ଏହା ପରେ ମୋ ଜୀବନର ସବୁଠୁ ତିକ୍ତ ଘଟଣା ଆରମ୍ଭ ହୋଇଗଲା ସମ୍ବଲପୁର ରେଲୱେ ଷ୍ଟେସନ୍ ପାଖରୁ l ଗତ ରାତ୍ରୀକାଳୀନ
ବସ୍ ଯାତ୍ରା, ଦିନ ତମାମ୍ ସାହିତ୍ୟ ଆସର, ତା ସାଙ୍ଗକୁ ଅନେକ ପଦଯାତ୍ରା ଜନିତ କ୍ଳାନ୍ତି ଯେତିକି କଷ୍ଟ ମୁଁ ଅନୁଭବ କରି
ନଥିଲି, ତାହା ଠାରୁ ଅଧିକ ଯନ୍ତ୍ରଣା ପାଉଥିଲି ମୋର ଦକ୍ଷିଣ
ପାଦର ଅସ୍ବାଭାବିକ ଫୁଲା ଏଵଂ ବ୍ୟଥା ପାଇଁ l ଆକ୍ସିଡେଣ୍ଟ
ହେତୁ ପାଦ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରି ନଥିଲା l ତେଣୁ
ଆଶା ଥିଲା ଟ୍ରେନ୍ ଯାତ୍ରା ନିଶ୍ଚୟ ନିରାପଦ ଏବଂ ସୁଖକର ହେବ ବୋଲି l ମାତ୍ର ତପସ୍ଵିନୀ ଏକ୍ସପ୍ରେସରେ ରିଜର୍ଭେସନ ଟିକଟ ନ ମିଳିବାରୁ ବାଧ୍ୟ ହୋଇ ଜେନେରାଲ ଟିକଟ କାଟି ବଗିରେ ବସିବାର ଶେଷ ନିଷ୍ପତ୍ତି ନେଲୁ l
ଟ୍ରେନ୍ ଅଧଘଣ୍ଟା ବିଳମ୍ବରେ ଏକ ନମ୍ୱର୍ ପ୍ଲାଟଫର୍ମରେ ଆସି ପହଁଚିଲା l ଯେଉଁ ବଗିରେ ଉଠିବାକୁ ଚେଷ୍ଟା କଲୁ ତାହାର ଭିତର ଦୃଶ୍ୟ ଥିଲା ଅତ୍ୟନ୍ତ ଭୟଙ୍କର l ଅସମ୍ଭବ ଧରଣର ଯାତ୍ରୀଙ୍କର ଭିଡ଼ l ଦେହକୁ ଦେହ ଅଠାକାଠି ପରି ଲାଗି ରହିଛି l ପାଦ ପକାଇବା ପାଇଁ ଟିକିଏ ବି ସ୍ଥାନ ନାହିଁ l ସୁସ୍ଥ ସବଳ କବିବଂଧୁ ଜଣଙ୍କ ବହୁ କଷ୍ଟରେ ଠେସି ହେଇ ଭିତରକୁ ପଶି ଗଲେ l ମୁଁ ଝୁଲେଇ ହେଇ ପଡ଼ିଥାଏ l କାନ୍ଧରେ ଓଜନିଆ ବ୍ୟାଗ୍ l ହାତରେ ଉପହାର ସ୍ଵରୂପ ବଡ଼ ବନ୍ଧେଇ ହେଇଥିବା ଫଟୋ l
ପଛରୁ ଖୁବ୍ ଠେଲା ପେଲା l ଗୋଡ଼ ଉପରେ ଗୋଡ଼ l ଅଣନିଃଶ୍ୱାସୀ ହେଇ ପୂରା ଦମ୍ ରେ ଉଠିଗଲି l ତଣ୍ଟି ଶୁଖି ଅଠା ଅଠା ହେଇ ଯାଉଥାଏ l ଖୁବ୍ କଷ୍ଟରେ ଭିତରେ ପଶି ଛିଡ଼ା ହେଲି l ଏମିତି ଆଠ ଘଂଟା
ଛିଡ଼ା ହେବାର ଜାଣି ମୁଁ ପ୍ରାୟ ହତବାକ୍ ହେଇଗଲିଣି l ମୋର ଚତୁର୍ପାର୍ଶ୍ଵରୁ ଯେଉଁ ପ୍ରବଳ ଠେଲା ପେଲା, ପୁଣି ମୋ ଭଙ୍ଗା ଗୋଡ଼ ଉପରେ ଅନ୍ୟ ମାନଙ୍କର ଗୋଡ଼ ମାଡ଼ ସେଥିରେ
ମୋ ନିରୀହ ଆଖିମାନଙ୍କରେ ଲୁହ ଖାଲି ଟଳମଳ କରୁଥାଏ l ଭାବୁଥିଲି ଏସବୁ କେବଳ ଏହି ସାହିତ୍ୟ ପ୍ରେମର ଅଦ୍ଭୁତ ପରିଣାମ l ଟୋକା
କବିଙ୍କ କଥା ଅଲଗା କିନ୍ତୁ ବୁଢ଼ା ଆଉ ରୋଗିଣା କବିମାନଙ୍କ ପାଇଁ ଏସବୁ ଅଧିକ ପୀଡ଼ାଦାୟକ l ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି l ଉପାୟ ନାହିଁ l ହଠାତ୍ ମୋର ମନେ ପଡ଼ି ଯାଉଥାଏ ଜ୍ୟାକେଟ ଜନିତ ପ୍ରିୟତମାଙ୍କ ବେଦନାଦାୟୀ ଇଙ୍ଗିତ କଥା l ବୋଧହୁଏ ସେଇ କଠୋର ମର୍ମଭେଦୀ ଅଥଚ ନୀରବ ଅଭିମାନରେ ଥିଲା ମୋର ଆଗତ ଦୁର୍ଘଟଣାର ଉଜ୍ଜ୍ୱଳ ପୂର୍ବାଭାସ l
ଗାଡ଼ିର ବେଗ ଯେତିକି ଆଶା କରୁଥିଲୁ ତା ‘ ଠାରୁ ଖୁବ୍ କମ୍ ଗତିରେ ଗଡୁଥାଏ l ପ୍ରାୟ ଚାରି ପାଞ୍ଚ ଘଣ୍ଟା ପରେ ଆରଂଭ ହୋଇଗଲା ଅସଲ ନାଟକ l ଧୀରେ ଧୀରେ ଉଦର ପୀଡ଼ା ସାଙ୍ଗକୁ ପରିସ୍ରାର ତଲବ୍ l ୟେ ତ ପ୍ରାକୃତିକ ନିୟମ l
ଏହାକୁ ଅଣଦେଖା କରିବା ଏତେ ସହଜ କଥା ନୁହଁ l କେତେ ସମୟ ବା ବୁଝେଇ ହେବ? ଗୋପାଳ ଭାଣ୍ଡ ରହସ୍ୟର ସେଇ ମଜା ଗପଟି ମନେପଡ଼ିଲା l ଝାଡା ପରିସ୍ରା ଯିବାଠୁ ଶାନ୍ତି ଆଉ ବା କଣ ଥାଇପାରେ? କିନ୍ତୁ ପାଦ ତ ଉଠେଇବାର ପ୍ରଶ୍ନ ନାହିଁ l ଆଗକୁ ଯିବାର ପଥ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି ଯାତ୍ରୀଗଣ l ହଠାତ୍ ଦେଖିଲି କେହି ଜଣେ ଦୁଃସାହସିକ
ଯୁବକ ଆମ ମୁଣ୍ଡମାନଙ୍କ ଉପରେ ସ୍ଲିପର ଏବଂ ସିଟ ଉପରେ
ଡେଇଁ ଡେଇଁ ଯାଉଛନ୍ତି ଶାଖାମୃଗ ଭଳି ଶୂନ୍ୟରେ ଶୂନ୍ୟରେ l ହେଲେ ମୁଁ ବା
ସେଭଳି କରି ପାରିବି କିପରି? ଯେମିତି ହେଉ ପେଟର ନିମ୍ନବାହୀ ଚାପକୁ ନିୟନ୍ତ୍ରଣ କରିବାର ଅଛି l ମାତ୍ର ସମ୍ଭବ ହେଉଛି ବା କୁଆଡୁ? ଇୟେ ତ ଏଣୁ ତେଣୁ କହି ବୁଝେଇ ହେବନି ପେଟର ଅଶାନ୍ତ ଉଦ୍ ବେଳନକୁ l କେତେ ବା ଚାପି ଧରି ଛିଡ଼ାହୋଇ ପାରିବି? ବେଳେ ବେଳେ ପେଟ ଭିତରର ଏହି ଅଦୃଶ୍ୟ ଉଦ୍ଗତ କ୍ରିୟାକୁ କେତେ ବା ନିୟନ୍ତ୍ରଣ କରାଯାଇ ପାରିବ ? ଦେଖିଲି ଆଉ ଏ ମୋସନକୁ ମନେଇ ହେବନାହିଁ l ଇଜ୍ଜତ ମହତ
ଯିବା ଉପରେ l ହଠାତ୍ ଦେଖିଲି ଦୁଇଜଣ ତରୁଣୀ ମୋ ସାମ୍ନାରୁ ଲାଟିନ ଆଡ଼କୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି l ଭାବିଲି ଏଇଟା ହିଁ ଉପଯୁକ୍ତ ସମୟ l ମତେ ସେହି ତରୁଣୀ ମାନଙ୍କ
ପଶ୍ଚାତ ଅନୁସରଣ କରିବାକୁ ହିଁ ପଡ଼ିବ l ବହୁ କଷ୍ଟରେ ଠେଲି
ଠେଲି ଆଗକୁ ଯାଇ ଯଥା ସ୍ଥାନରେ ପହଞ୍ଚି ବଡ଼ ପାସ୍ କରି
ଫେରିବାକୁ ଉଦ୍ୟମ କଲି ମୋର ପୂର୍ବ ଅଧିକୃତ ସ୍ଥାନ ପାଖକୁ l ହେଲେ ଫେରି ପାରୁଛି କାହିଁ? ଦେଖିଲି ମୋର ପୂର୍ବ ଅଧିକୃତ ଅଞ୍ଚଳଟି ଅନ୍ୟର ଜବର ଦଖଲକୁ ଚାଲି ଯାଇଛି l କଣ କରିବି, ନିଜକୁ ନିତ୍ୟାନ୍ତ ନିରୁପାୟ ମନେକଲି l କେଉଁଠି ହେଲେ ଆଶ୍ରୟ ଖୋଜି ମତେ ଛିଡ଼ା ହେବାକୁ ହିଁ ହେବ l ସାମାନ୍ୟ ସ୍ଥାନ ଅଧିକାର ପାଇଁ ମୋତେ ଏଠାରେ କଠୋର ହେବାକୁ
ପଡ଼ିବ ନିଶ୍ଚୟ l ଯେତେ ବାଟ ଠେଲି ପେଲି ଆସିଲି ଆସିଲି
ଏଣିକି ଆଗକୁ ନା ପଛକୁ, ଯେଉଁଠି ରହିଲି ସେଇଠି l
ତା ପରେ ଘଟଣାଟି ଧୀରେ ଧୀରେ ଦୁର୍ଘଟଣାର ରୂପ ନେବା ଆରଂଭ
କଲା l କତିପୟ କଲେଜ ତରୁଣଙ୍କ ମଧ୍ୟରୁ ଜଣେ ପ୍ରଗଳ୍ଭ
ମୋ ଉପରେ ଅତିଶୟ କ୍ରୋଧାନ୍ୱିତ ହୋଇ କହି ଉଠିଲା – ମଉସା !ଆଗକୁ ଯାଉ ଯାଉ ଏଠି ଅଟକି ଗଲେ କାହିଁକି? ପଛକୁ ଯିବାର ଯଦି ଯାଆନ୍ତୁ , ନଚେତ୍ ଆଗକୁ ଯାଆନ୍ତୁ l ଆମେ ଠିକ୍ ରେ ଶାନ୍ତିରେ ଛିଡ଼ା ହୋଇ ପାରୁନୁ l”” ସେତେବେଳକୁ ମୋର ଆଉ ଧୈର୍ଯ୍ୟର ସୀମା ମୋ ଅଧୀନରେ ନଥିଲା l ମୁଁ ଶବ୍ଦରେ ଉତ୍ତାପ ଭରି ଉଦ୍ଧତ ତରୁଣ ସାଙ୍ଗରେ ଲଢେ଼ଇ କରି କହିଉଠିଲି – ମୁଁ ଭାବୁଛି ତୁମେ ଜଣେ କଲେଜ୍ ଯୁବକ
ହେବ ବୋଧହୁଏ l ଦେଖୁଚି ଜଣେ ଅପରିଚିତ ବରିଷ୍ଠ ଭଦ୍ର ବ୍ୟକ୍ତିଙ୍କୁ ସମ୍ବୋଧନ କରିବାର ସାଧାରଣ ଶିଷ୍ଟାଚାର ବି ତୁମେ ଶିଖିନାହଁ ( ଅବଶ୍ୟ ତରୁଣ ଜଣଙ୍କ ମୋର ମୁଣ୍ଡର ଉପର ଚନ୍ଦା ଅଂଶକୁ ଦୃକ୍ ପାତ କରି ଏପରି ଗ୍ରାମୀଣ ପରିଚିତ ଶବ୍ଦଟେ ମତେ ଲକ୍ଷ୍ୟ କରି କହିଥାଇ ପାରନ୍ତି , ଯାହାକି ମତେ
ଅଧିକ ମାତ୍ରାରେ ଉତ୍ତେଜିତ କରି ଦେଇଥିଲା)
ଦେଖୁଛ ତ ଆଗରେ ଲୋକ ଭର୍ତ୍ତି, ପଛରେ ଲୋକ ଭର୍ତ୍ତି, ଏଇଠି ସାମାନ୍ୟ ସ୍ଥାନ ଅଛି, ମୁଁ ଏ ଭଙ୍ଗା ଗୋଡ଼କୁ ନିରାପଦରେ ରଖି ପାରିବି l ମୁଁ ଆଗକୁ କି ପଛକୁ ଆଦୌ ଆଉ ଯାଇ ପାରିବି ନାହିଁ lଏଇଠି ହିଁ ଛିଡ଼ା ହେବି l ପଛକୁ ଗଲେ ଅନ୍ୟମାନେ ଆପତ୍ତି କରିବେ ଆଉ ଆଗକୁ ଗଲେ ଅନ୍ୟ ଯାତ୍ରୀମାନେ ମଧ୍ୟ ଠିକ୍ ଅନୁରୂପ ଉକ୍ତି ବାଢ଼ିବେ l
ମୋର ଏକାନ୍ତ ଜିଦ୍ ପାଖରେ ତରୁଣ ଜଣଙ୍କ ଅତ୍ୟନ୍ତ କ୍ଷୁବ୍ଧ
ହେଇ ପଡ଼ିଲା l ମାତ୍ର କିଛି ସମୟ ପରେ ସେହି ପ୍ରତିକ୍ରିୟାଶୀଳ ତରୁଣ ଜଣଙ୍କ ବାରମ୍ୱାର ଇଚ୍ଛାକୃତ ଭାବରେ
ମତେ ତାର କଠିନ କହୁଣି ଦ୍ଵାରା ନିର୍ମମ ଚାପ ପକାଉଥାଏ l ଏଥର ମୋର ସମସ୍ତ ସହିବାର
ସୀମା ଲଂଘନ କରିସାରିଥିଲା l ବୈଜ୍ଞାନିକ ନିଉଟନ୍ ଙ୍କ ତୃତୀୟ ନିୟମ କଥା ମୋର ମନେ ପଡିଗଲା l ଆଉ ଗାନ୍ଧୀଙ୍କ ନୀତି ଏଠି ମାନିଲେ ଚଳିବ ନାହିଁ ଭାବି ଅତିମାତ୍ରାରେ ମୁଁ ଉତ୍କ୍ଷିପ୍ତ ହେଇ ଉଠିଲି l ବାସ୍ ପୂର୍ବ ଭଳି
ଚାଲିଲା ପାରସ୍ପରିକ ବାକ୍ ଖଣ୍ଡଯୁଦ୍ଧ l କିନ୍ତୁ ତରୁଣଟିର ପକ୍ଷବାହିନୀଙ୍କ ତାଣ୍ଡବ ମୂର୍ତ୍ତି ନିକଟରେ ମୁଁ ଅତ୍ୟନ୍ତ ଦୁର୍ବଳ
ମନେ କଲି l ତଥାପି ସ୍ୱାଭିମାନ ସହିତ ପ୍ରତିପକ୍ଷଙ୍କ ହୁଙ୍କାର
ନିକଟରେ ମୁଁ ପରାଜିତ ହେବାକୁ କୁଣ୍ଠାବୋଧ କରୁଥିଲି l ଶେଷରେ ସେମାନଙ୍କ ଭିତରୁ ଜଣେ କେହି ସାମାନ୍ୟ ଏକ ଶୂନ୍ୟସ୍ଥାନରେ ମତେ ଛିଡ଼ା ହେବାପାଇଁ କହିବାରୁ ମୁଁ ନିଜର କ୍ରୋଧକୁ କିଛିମାତ୍ରାରେ ସମ୍ବରଣ କରି ଦଳଗତ ଉତ୍ତେଜନା
ର ଖଣ୍ଡପ୍ରଳୟକୁ ପ୍ରଶମିତ କଲି l କିନ୍ତୁ ମନେମନେ ମୁଁ ନିଜକୁ
ଖୁବ୍ ଲଜ୍ଜିତ ମଣୁ ଥିଲି l ମୋର ଅବଶ୍ୟ ଏପରି ଆଚରଣ କରିବା ଉଚିତ୍ ନଥିଲା l ଏଥିରେ ଯେଉଁ ସମ୍ମାନ ହାନି ମୋର ହେଲା ତାହା ଆଉ କେବେ ଫେରି ଆସିବ ନାହିଁ l ମନେପଡ଼ିଗଲା ଶରୀର ପୀଡ଼ା, ମନ ପୀଡ଼ା, ମାନ ହାନି, ଏ ଯେଉଁ ସମଗ୍ର ବିଶ୍ରାମ ବିହୀନ ଉନ୍ନିଦ୍ର ଯାତ୍ରା ବୋଧହୁଏ ସେଇ ଗୋଟିଏ ମାତ୍ର କାରଣରୁ – ସେଇ ଯେ ଜ୍ୟାକେଟ ଜନିତ ଅନୁକୂଳ ବିଭ୍ରାଟ
ୟା ଛଡ଼ା ଆଉ ବା କଣ ହେଇପାରେ?
ସାହିତ୍ୟ ସାଧନା ନାମରେ ଏଥର ଦୂରକୁ ଯାତ୍ରା କରି ନିଜକୁ ଅନ୍ୟ ମାନଙ୍କର ଦୃଷ୍ଟି ଆକର୍ଷଣ କରିବାର କୌଣସି ଆବଶ୍ୟକତା ନାହିଁ l କୌଣସି ସମ୍ମାନ ସମ୍ବର୍ଦ୍ଧନା ନାମରେ ନିଜର ଆତ୍ମ ସମ୍ମାନ ନଷ୍ଟ କରିବାରେ କି ଲାଭ? ପରିଚୟ ପ୍ରକାଶନ ଏମିତି ଗୋଟିଏ କବିତା ପଢ଼ିଦେଲେ କି ଉତ୍ତରୀୟ ଗୋଟେ ବେକରେ ଗଳେଇ ହାତରେ ପୁଷ୍ପଗୁଚ୍ଛଟେ ଧରି ଛିଡ଼ା ହେଇଗଲେ ହୁଏନା l ନିଜର ପାଣ୍ଡିତ୍ୟ ଦେଖେଇବା ପାଇଁ ଏଵଂ ରାଜ ଅନୁଗ୍ରହ ଲୋଡ଼ିବାର ଆଶା ରଖିବା ପାଇଁ ହୁଏତ ଏହି ଧାରାଟି ଆମ କାବ୍ୟ ଯୁଗରୁ ଆରଂଭ ହେଇ ଏପର୍ଯ୍ୟନ୍ତ ପ୍ରବହମାନ ହେଇ ଆସୁଛି କିନ୍ତୁ ଏଥିରେ ସାଧନାର ଉତ୍କର୍ଷ ଅପେକ୍ଷା ବ୍ୟକ୍ତିଗତ ଅହଙ୍କାରର ଅବକ୍ଷୟୀ ରୂପଟି ଅଧିକ ଆକ୍ରମକ ମନେହେଉଛି l ଯେଉଁ ସାରସ୍ଵତ ସାଧକର ସାଧନାସ୍ଥଳ ଯେତେ କୋଳାହଳ ଶୂନ୍ୟ ତାର ସୃଜନୀ ଆବେଗ ସେତିକି ଗମ୍ଭୀର l କୌଣସି ଏକ କାଳଖଣ୍ଡର
ଭାବବସ୍ତୁର ଶବ୍ଦମୟ ଉଚ୍ଚାଙ୍ଗ ଆତ୍ମପ୍ରକାଶ ହିଁ ଲେଖକୀୟ
ଇସ୍ତାହାର l କବି କିଂବା ଲେଖକ ସେଇ କୃତି ଭିତରେ
ଆତ୍ମ ସନ୍ତୋଷ ଅଥବା ଅସନ୍ତୋଷ ଲାଭ କରି ପାରିଲେ ତାହାହିଁ ହେବ ସୃଷ୍ଟିର ପ୍ରକୃତ ମୂଲ୍ୟାୟନ l

———————-
ଅବସରପ୍ରାପ୍ତ ଅଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ମଧୁବନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ମଧୁବନ ହାଟ, ଯାଜପୁର|

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *