ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବନ୍ୟା ବିପନ୍ନଙ୍କ ପାଖରେ ଜିଲ୍ଲା ପ୍ରଶାସନ; ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟ ଜୋରଦାର

ଜଗତସିଂହପୁର, ଅଗଷ୍ଟ ୨ (ବିଭୂତି ଟିଭି): ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ବଣ୍ଟନ, ଉଦ୍ଧାର ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜିଲ୍ଲାପାଳ ଶ୍ରୀ ଜେ. ସୋନାଲଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ପହଞ୍ଚାଉଛନ୍ତି।
ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ତିର୍ତ୍ତୋଲ, କୁଜଙ୍ଗ, ବିରିଡି, ରଘୁନାଥପୁର, ନାଉଗାଁ ଓ ବାଲିକୁଦା ବ୍ଲକର ୩୧ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି।
ପ୍ରଭାବିତ ଅଞ୍ଚଳରେ ୪୨ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇ ନିୟମିତ ଭାବେ ଖାଦ୍ୟ ବଣ୍ଟନ କରାଯାଉଛି। ଏହାସହ ୫୬.୧୩ କ୍ୱିଣ୍ଟାଲ ଚୁଡ଼ା, ୧୩.୮୨ କ୍ୱିଣ୍ଟାଲ ଗୁଡ଼, ୬୬୧ଟି ପଲିଥିନ, ୫୭ କାର୍ଟୁନ ବିସ୍କୁଟ, ୧୮୦ ପ୍ୟାକେଟ ମହମବତୀ ଓ ୧୬୦ ପ୍ୟାକେଟ ଦିଆସିଲି ବଣ୍ଟନ କରାଯାଇଛି।
ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ୧୧ଟି ମେଡିକାଲ ଟିମ୍ ଓ ୮ଟି ପ୍ରାଣୀଚିକିତ୍ସା ଟିମ୍ ନିୟୋଜିତ କରାଯାଇଛି। ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସିଏଚଓମାନେ ପ୍ରଭାବିତ ଗ୍ରାମଗୁଡ଼ିକରେ ଓଆରଏସ୍, ଆବଶ୍ୟକ ଔଷଧ, ହାଲୋଜେନ ବଟିକା ବଣ୍ଟନ କରିବା ସହ କୂଅ ବିଶୋଧନ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।
ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଆଭାସୀ ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତିର ସମୀକ୍ଷା କରି ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ, ବନ୍ୟାଜନିତ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ମଧ୍ୟ ଜାରି ରହିଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ତିର୍ତ୍ତୋଲ ବ୍ଲକରେ ସମୀକ୍ଷା ବୈଠକ କରି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାବ୍ୟତୀତ ଆସନ୍ତା ଶ୍ରାବଣ ସୋମବାରରେ ବୋଲବମ୍ ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନଦୀରେ ସ୍ନାନ ଓ ଜଳ ଉଠାଇବା ଉପରେ କଟକଣା ଜାରି କରାଯାଇଛି। ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାରିକେଡ୍ ସ୍ଥାପନ ସହ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ସଜାଗ ରହିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ସହ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରାଥମିକତା ଦିଆଯାଇଛି।

“ରିପୋର୍ଟ: ବିଭୂତି ଟିଭି ବ୍ୟୁରୋ, ଜଗତସିଂହପୁର”.

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *