ବିଭୂତି ଟିଭି ବ୍ୟୁରୋ, ନିମାପଡ଼ା:
ନିମାପଡ଼ା ଅଞ୍ଚଳର ଅନ୍ୟତମ ବୃହତ ଉଦ୍ୟୋଗ ତଥା ଏକମାତ୍ର ସରକାରୀ ଶୀତଳ ଭଣ୍ଡାରର ଅବ୍ୟବସ୍ଥା ଓ ଜରାଜୀର୍ଣ୍ଣ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି “ଜାଗ୍ରତ ଯୁବଶକ୍ତି” ସଂଗଠନ। ସଂଗଠନର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର ଓ ଅଜୟ କୁମାର ପଣ୍ଡା ଶୀତଳ ଭଣ୍ଡାର ପରିଦର୍ଶନ କରି ଏହାର ବାସ୍ତବ ସ୍ଥିତିର ଅନୁଧ୍ୟାନ କରିଥିଲେ।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଶୀତଳ ଭଣ୍ଡାର ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଛାତ ଉପରେ ବର୍ଷାଜଳ ଜମି ରହି ବିଭିନ୍ନ ସ୍ଥାନରେ ପାଣି ଗଳୁଛି। ଅଟ୍ଟାଳିକାର ଅନେକ ସ୍ଥାନରେ ସିମେଣ୍ଟ ଖସି ଗଛ ଉଠିଥିବାରୁ ଭିତ୍ତିଭୂମି ଦୁର୍ବଳ ହୋଇ ବିପଦ ସୃଷ୍ଟି କରୁଛି। ଏହାସହ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଛି।
ଚାଷୀଙ୍କ ଉତ୍ପାଦ ସଂରକ୍ଷଣ ପାଇଁ ନିର୍ମିତ ଏହି ଶୀତଳ ଭଣ୍ଡାର ଏକଦା ନିମାପଡ଼ା ଅଞ୍ଚଳର ଗୌରବ ଥିଲା। ତେବେ ବର୍ତ୍ତମାନର ଅବହେଳିତ ସ୍ଥିତି ଚାଷୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
“ଜାଗ୍ରତ ଯୁବଶକ୍ତି” ସଂଗଠନ ସରକାରଙ୍କୁ ଶୀତଳ ଭଣ୍ଡାରର ତୁରନ୍ତ ମରାମତି, ଭିତ୍ତିଭୂମିର ସୁଦୃଢୀକରଣ, ସୌନ୍ଦର୍ଯ୍ୟକରଣ ଏବଂ ଆଧୁନିକୀକରଣ ସହ ଚାଷୀଙ୍କ ସ୍ୱାର୍ଥରେ ଏହାକୁ ପୁନର୍ବାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି।

















Leave a Reply