ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡିଏଭି ପବ୍ଲିକ ସ୍କୁଲ, ନିମାପଡ଼ାରେ ସପ୍ତାହବ୍ୟାପୀ ବନମହୋତ୍ସବ ପାଳିତ

ନିମାପଡ଼ା, ତା. ୦୬/୦୭: ଡିଏଭି ପବ୍ଲିକ ସ୍କୁଲ, ନିମାପଡ଼ା ପକ୍ଷରୁ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସବୁଜ ପୃଥିବୀ ଗଠନର ମହାନ ବାର୍ତ୍ତାକୁ ନେଇ ତା. ୦୧ ଜୁଲାଇରୁ ୦୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବନମହୋତ୍ସବ ଆଡ଼ମ୍ବରର ସହ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଏମ୍. ଏମ୍. ହକ୍ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ତା. ୦୧ ଜୁଲାଇରେ ହୋଇଥିଲା।

ବନମହୋତ୍ସବ ଅବସରରେ ବିଭିନ୍ନ ବୟସ୍କ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସୃଜନଶୀଳ ଓ ଜ୍ଞାନବର୍ଦ୍ଧକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ରଙ୍ଗୋଲି ପ୍ରତିଯୋଗିତା ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଇଂରାଜୀ ବକ୍ତୃତା (ଡିବେଟ୍) ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାଗୁଡ଼ିକରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ପ୍ରତି ନିଜ ସୃଜନଶୀଳତା ଓ ସଚେତନତାର ପରିଚୟ ଦେଇଥିଲେ।

ରଙ୍ଗୋଲି ପ୍ରତିଯୋଗିତାରେ ଅଷ୍ଟମ ‘ଏ’ର ସାନିଧି ସ୍ୱାଇଁ ପ୍ରଥମ, ଷଷ୍ଠ ‘ଏ’ର ସାଇଶ୍ରୀତା ନାୟକ ଦ୍ୱିତୀୟ, ସପ୍ତମ ‘ଏ’ର ସ୍ୱୟନ ଶିବାଙ୍ଗ ଦାସ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଷଷ୍ଠ ‘ବି’ର ସୁଶ୍ରୀ ଅଙ୍କିତା ସେନାପତି ସାନ୍ତ୍ୱନା ପୁରସ୍କାର ପାଇଥିଲେ।

ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ପଞ୍ଚମ ‘ବି’ର ଆୟୁଷ୍ମାନ ସାହୁ ପ୍ରଥମ, ପଞ୍ଚମ ‘ଏ’ର ଶ୍ରଦ୍ଧାଜ୍ୟୋତି ମହାରଣା ଦ୍ୱିତୀୟ ଏବଂ ଚତୁର୍ଥ ‘ଏ’ର ଶାଶ୍ୱତ ସାଇ ଶୁଭମ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଇଂରାଜୀ ବକ୍ତୃତା (ଡିବେଟ୍) ପ୍ରତିଯୋଗିତାରେ ଦଶମ ‘ଏ’ର ସୌମ୍ୟ ସୁପ୍ରପ୍ତ ସାହୁ ପ୍ରଥମ, ସୁଶ୍ରୀ ସ୍ନେହା ବାରିକ ଦ୍ୱିତୀୟ ଏବଂ ଶୁଭଲକ୍ଷ୍ମୀ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ତା. ୦୬ ଜୁଲାଇ, ସୋମବାର ଦିନ ବନମହୋତ୍ସବର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ଶ୍ରୀ ଏମ୍. ଏମ୍. ହକ୍ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବଳଭଦ୍ର ନାୟକ – ବନପାଳ (ଫରେଷ୍ଟର), ଗୀତାଞ୍ଜଳି ବେହେରା – ବନରକ୍ଷୀ (ଫରେଷ୍ଟ ଗାର୍ଡ) ଏବଂ ଅମିତ ନନ୍ଦ – ବନରକ୍ଷୀ (ଫରେଷ୍ଟ ଗାର୍ଡ) ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷଚାରା ରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ଉପରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା।

ସପ୍ତାହବ୍ୟାପୀ ଏହି ବନମହୋତ୍ସବ ଛାତ୍ରଛାତ୍ରୀଙ୍କ ମନରେ ବୃକ୍ଷରୋପଣ ଓ ପରିବେଶ ସଂରକ୍ଷଣ ପ୍ରତି ଆଗ୍ରହ, ଦାୟିତ୍ୱବୋଧ ଓ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *