ଆଜି ତା ୨୫/୦୪/୨୦୨୬ରିଖ ଶନିବାର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ନହନ୍ତରା ଗୋପାଳପୁର ଠାରେ ଅଗ୍ରଣୀ ହସ୍ତକଳା ଅନୁଷ୍ଠାନ “ଭୋଳାନାଥ ଗୁରୁକୁଳ ଫାଉଣ୍ଡେସନ”ର ୪ର୍ଥ ସମାବର୍ତ୍ତନ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଆଜିର ମହୋତ୍ସବରେ ରାଜ୍ୟ ସ୍ତରୀୟ ହସ୍ତଶିଳ୍ପୀ ସମାରୋହ, ଆଲୋଚନା ଚକ୍ର ତଥା ହସ୍ତଶିଳ୍ପୀ ସମ୍ବର୍ଦ୍ଧନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭୋଳାନାଥ ଗୁରୁକୁଳ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ସୌଦାମିନୀ ସ୍ବାଇଁ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ପ୍ରଧାନ ଅନୁଷ୍ଠାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ହସ୍ତଶିଳ୍ପ ଭାଇ ଭଉଣୀମାନଙ୍କୁ ଅବଗତ କରାଇଥିଲେ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅମ୍ଳାନ ତ୍ରିପାଠୀ , ପ୍ରମୁଖ ଆୟୁକ୍ତ, ଆୟକର ବିଭାଗ, ଭାରତ ସରକାର, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଶ୍ରୀଧର ବେହେରା, ସଭାପତି ବୁଣାକାର ମହାସଂଘ, ଓଡ଼ିଶା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିଷ୍ଣୁପଦ ମାରାଣ୍ଡି, ଉପନିର୍ଦେଶକ, ପୁରୀ ଜିଲ୍ଲା ହସ୍ତଶିଳ୍ପ ବିଭାଗ, ଡଃ ବିପିନ ବିହାରୀ ସାହୁ, ସମ୍ପାଦକ, ଓ୍ଵାଲ୍ଡ ଆର୍ଟ, ଭୁବନେଶ୍ୱର, ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପଣ୍ଡା, ହସ୍ତଶିଳ୍ପ ଅଧିକାରୀ, ପୁରୀଜିଲ୍ଲା, ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡ଼ା, ମଣ୍ଡଳ ପ୍ରମୁଖ, ଭାରତୀୟ ଜନତା ପାର୍ଟି, ନିମାପଡ଼ା, ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ମିଶ୍ର, ପ୍ରାକ୍ତନ ସହ ନିର୍ଦ୍ଦେଶକ, ହସ୍ତଶିଳ୍ପ ବିଭାଗ। କାର୍ଯ୍ୟକ୍ରମକୁ କବି ଗଙ୍ଗାଧର ଓଝା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସେହିପରି ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ବିଚାରକ ଭାବେ ଶ୍ରୀଯୁକ୍ତ ଶ୍ରୀଚରଣ ରାଉତ ଏବଂ ଲକ୍ଷ୍ମିପ୍ରିୟା ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପୂର୍ବ ବର୍ଷମାନଙ୍କ ପରି ଏବର୍ଷ ମଧ୍ୟ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ଶ୍ରୀଧର ମହାରଣା, ରଘୁରାଜପୁର, ପୁରୀଙ୍କୁ “ଶିଳ୍ପୀକୁଳ ଚନ୍ଦ୍ରମା” ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଣ୍ଢିଆ ସାହି, ନିମାପଡ଼ାଙ୍କୁ “ଗୁରୁ ପଞ୍ଚାନନ ସେନାପତି ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଛି। ସେହିପରି ପଟ୍ଟଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଶ୍ରୀଯୁକ୍ତ କାହ୍ନୁ ଚରଣ ବେହେରା, ରଘୁରାଜପୁର, ପୁରୀ ଏବଂ ସୁଶ୍ରୀ ସରସ୍ୱତୀ ଦିକ୍ଷୀତ, ଅଣ୍ଢିଆ ସାହି, ନିମାପଡ଼ାଙ୍କୁ ଭୋଳାନାଥ ଶିଳ୍ପୀ ସମ୍ମାନ, କତା କଣ୍ଢେଇ ହସ୍ତଶିଳ୍ପ ପାଇଁ ଶ୍ରୀମତୀ ଡଲି ଦାସ,ସାକ୍ଷିଗୋପାଳ, ପୁରୀ ଏବଂ ତାଳପତ୍ର ଖୋଦେଇ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସନ୍ତୋଷ କୁମାର କାମଲା, ବାଲିପାଟଣା ଖୋର୍ଦ୍ଧାଙ୍କୁ ମଧ୍ୟ ଭୋଳାନାଥ ଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ସାହୁ ଏବଂ ଯୁବ ସାମ୍ବାଦିକ ବିକାଶ କୁମାର ବାରିକଙ୍କୁ “ଶିଳ୍ପୀ ସଖା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମରେ ସଙ୍ଗୀତ ସର୍ଜନା କଳା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଭୋଳାନାଥ ଗୁରୁକୁଳ ଫାଉଣ୍ଡେସନର ଏଭଳି ଏକ ଅନନ୍ୟ କାର୍ଯ୍ୟକ୍ରମକୁ ସମସ୍ତେ ଭୁୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହା ଅନେକ ଶିଳ୍ପୀ କାରିଗରମାନଙ୍କର ମାର୍ଗଦର୍ଶନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ଅନୁଷ୍ଠାନର ଉପଦେଷ୍ଟା ଡଃ ବିପିନ ବିହାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
“ଭୋଳାନାଥ ଗୁରୁକୁଳ ଫାଉଣ୍ଡେସନ”ର ୪ର୍ଥ ସମାବର୍ତ୍ତନ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ହସ୍ତଶିଳ୍ପୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
















Leave a Reply