ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଖୁବଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ବାଲି! ଏଏସ୍‌ଆଇର ବଡ ନିଷ୍ପତ୍ତି

ଭୁବନେଶ୍ୱର , ୨୨ | ୪ : ଖୁବ ଶୀଘ୍ର ଓଡ଼ିଶାର ଐତିହ୍ୟ ସ୍ଥଳ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ବାଲି। ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଏଏସ୍‌ଆଇ ସୂତ୍ରରୁ ସୂଚନା ମିଳିଛି। ତେବେ ବୈଷୟିକ ପରୀକ୍ଷାର ପ୍ରାରମ୍ଭରେ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏହାପରେ ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ୨୦୨୫ ଡିସେମ୍ବର ୮ରେ ପରୀକ୍ଷା କରିବାକୁ ଆଇଆଇଟିର ମାଡ୍ରାସ୍‌ ଲ୍ୟାବ୍‌କୁ ପଠାଯାଇଥିଲା।

ରିପୋର୍ଟ ଅନୁସାରେ, ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିବ ଦ୍ୱାରା ମନ୍ଦିର ଉପରେ କୌଣସି କ୍ଷତି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ରିପୋର୍ଟ ଆସିବା ପରେ ଏଏସ୍‌ଆଇ ପକ୍ଷରୁ ଅକ୍ଷୟ ତୃତୀୟା ଦିନରୁ ବାଲି କାଢ଼ିବା କାମ ଆରମ୍ଭ ହୋଇଛି। ବାଲି କାଢ଼ିବା ପାଇଁ ଏଏସ୍‌ଆଇ ପକ୍ଷରୁ ଚୂଡ଼ାନ୍ତ ମ୍ୟାପିଂ କରାଯାଉଛି। ସେହିପରି ସେକ୍ସନ୍‌ ଡ୍ରଇଂ ଅନୁସାରେ, ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ୱ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ୍‌ ନିର୍ମାଣ କରାଯିବାର ଯୋଜନା ରହିଛି ।

ତେବେ ସୁରକ୍ଷା ଦୃଷ୍ଟିରୁ ଟନେଲ୍‌ ମଧ୍ୟରେ କୌଣସି ମଣିଷ ପ୍ରବେଶ କରିବାର ଅନୁମତି ନଥିବା ସୂଚନାରୁ ଜଣାପଡିଛି | ତାହା ବଦଳରେ ଏକ ସ୍ବୟଂଚାଳିତ ରୋବୋଟିକ୍‌ ଟ୍ରଲି ପ୍ରବେଶ କରି ଗର୍ଭଗୃହରୁ ବାଲି ସଂଗ୍ରହ କରି ତଳକୁ ଅଣାଯିବାର ନିଷ୍ପତ୍ତି ନେଇଛି ଏଏସ୍‌ଆଇ । ଏହାମଧ୍ୟରେ ସମସ୍ତ ମେକାନିକାଲ୍‌ ପ୍ଲାଟ୍‌ଫର୍ମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଏହାପରେ କଢ଼ାଯାଇଥିବା ସବୁ ବାଲିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ଅଣାଯାଇ ସେଠାରୁ ପାଇପ୍‌ ସାହାଯ୍ୟରେ ମନ୍ଦିରର ଉତ୍ତରପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବ। ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏ ସମସ୍ତ ପ୍ରକ୍ରିୟା ଚାଲିବ ବୋଲି ଏଏସ୍‌ଆଇର ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *