ମହାନଦୀ କମିଟି ଛତିଶଗଡ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି । କହିଛନ୍ତି, ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ଗସ୍ତ କରିବ କମିଟି । ତା ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ନିଷ୍କର୍ସ ଆଧାରରେ ଛତିଶଗଡରେ ପକ୍ଷ ରଖିବେ ସରକାର ।
ଜଳ ସମ୍ପଦ ବିଭାଗ ଦ୍ଵାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସମ୍ମୁଖରେ ଚାଲୁ ରହିଛି ଆଲୋଚନା ଓ ପ୍ରକ୍ରିୟା । ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ମହାନଦୀ ବିବାଦକୁ ନେଇ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଆଜି ରାଜୀବ ଭବନରେ ଅନୁଷ୍ଠିତ ହୋଇଛି । ଗଠନମୂଳକ ଆଲୋଚନା ଏବଂ ଆଇନଗତ ପାରଦର୍ଶିତା ମାଧ୍ୟମରେ ଓଡ଼ିଶାର ନାର୍ଯ୍ୟ ଜଳ ଭାଗ ସୁନିଶ୍ଚିତ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ଗତ ଡିସେମ୍ବର ୨୩ ତାରିଖରେ ବସିଥିଲା ପ୍ରଥମ ବୈଠକ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି, “ବିଭିନ୍ନ ରାଜନୈତିକ ଦଳକୁ ନେଇ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଆଜି ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି । ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ୭ ବର୍ଷ ମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲ ଜଣେ ମାତ୍ର ସାକ୍ଷୀଙ୍କୁ ପରୀକ୍ଷା କରିଛି । ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ଅବଧି ଶେଷ ହେବ । ସେହିପରି ବିଗତ ଦିନରେ ୯ ମାସ ଧରି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନଥିବାରୁ କୌଣସି ଆଲୋଚନା ହୋଇପାରିନଥିଲା । ଟ୍ରିବ୍ୟୁନାଲର ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି । ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ହେଲେ ଛତିଶଗଡ଼ ସହ ଚାଲିଥିବା ଆଲୋଚନା ଆଗକୁ ବଢିପାରିବ ।ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲରେ ଯାହା ଘଟିଛି ସେ ବାବଦରେ ଆଡଭୋକେଟ ଜେନେରାଲ ବା ଏଜି ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଆସନ୍ତା ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ସେହିପରି ମହାନଦୀକୁ ନେଇ ଆନ୍ଦୋଳନ କରୁଥିବା ସଂଗଠନ ଓ କର୍ମକର୍ତ୍ତାଙ୍କ ସହିତ ମଧ୍ୟ ଆଲୋଚନା ହେବ । ଏହାକୁ ନେଇ ଆମେ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରିବୁ । ସେଥିପାଇଁ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରିବାକୁ ଯିବୁ । ଆଗାମୀ ୩୧ ଓ ୧ ତାରିଖରେ ଛତିଶଗଡ ଯିବେ ରାଜ୍ୟ ସରକାରଙ୍କ ଟିମ୍ । ୨୩ ତାରିଖରେ ବସିବାକୁ ଥିବା ସର୍ବଦଳୀୟ ବୈଠକର ନିଷ୍କର୍ଷ ଆଧାରରେ ଛତିଶଗଡ଼ ଯାଇ ପକ୍ଷ ରଖିବେ ସରକାର । ଆସନ୍ତା ୭ ଫେବୃଆରିରେ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣୀ ହେବ । ଏହା ପୂର୍ବରୁ ଆଲୋଚନା ମାଧ୍ୟମରେ ଯାହା ପଦକ୍ଷେପ ନେଇ ଆଗକୁ ବଢିବୁ ।ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, “୨୦୧୮ରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତତ୍କାଳୀନ ବିଜେଡି ସରକାର ଏଥିପାଇଁ ବଡ଼ ଆନ୍ଦୋଳନ କରିଥିଲେ । ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କ ମତାମତ ନେବା ପାଇଁ ଆମେ ଦାବି କରିଛୁ । ଦ୍ୱିପାକ୍ଷିକ ଆଲୋଚନା ବାବଦରେ ଜନସାଧାରଣ ଓ ଅଂଶୀଦର ମାନଙ୍କୁ ଜଣାଯାଉ । ସର୍ବଦଳୀୟ ବୈଠକ ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି ।”ଆଜିର ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ସରକାରୀ ଦଳ ମୁଖ୍ୟସଚେତକ ସରୋଜ ପ୍ରଧାନ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, କ୍ରୀଡ଼ା ଓ ଯୁବ ସେବା ବିଭାଗର ମୁଖ୍ୟ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ସାଗର ମହାନ୍ତି, ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଇଂ ବିଭୂତି ଭୂଷଣ ଦାସ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

















Leave a Reply