ନିମାପଡ଼ାରେ ପୁଷ୍ପମାଲ୍ୟ ଅର୍ପଣ ସହ ସାଧାରଣ ସଭା, ଯୁବକମାନେ ଏକ ବାଇକ୍ ଶୋଭାଯାତ୍ରାରେ ନିମାପଡ଼ା ବଜାର ପରିକ୍ରମା କରିଥିଲେ ।
ନିମାପଡ଼ା, ୦୪/୧୦ (ବି.ପ୍ର.) : ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ, କୃଷକ ଆନ୍ଦୋଳନର ମହାନ କର୍ଣ୍ଣଧାର ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ନିମାପଡ଼ା–କାକଟପୁର ଯୁଗ୍ମ ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ଜନନାୟକ ସ୍ୱର୍ଗତ ମୋହନ ଦାସଙ୍କ ୧୨୨ତମ ପୁଣ୍ୟ ଜନ୍ମଜୟନ୍ତୀ ଅବସରରେ ନିମାପଡ଼ାରେ ଏକ ସ୍ମୃତିସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ନିମାପଡ଼ା ଦୋଳବେଦୀ ଛକସ୍ଥିତ ସ୍ୱର୍ଗତ ମୋହନ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ସକାଳେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଜାଗ୍ରତ ଯୁବଶକ୍ତିର ସଂଯୋଜକ ସମୀର ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରସନ୍ନ କୁମାର ପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ତ୍ରିନାଥ ପାତ୍ର, ବରିଷ୍ଠ ନେତା ଅଜୟ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ଅଜୟ କୁମାର ପଣ୍ଡା, ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଘର ସଭାପତି ଆର୍ତ୍ତବନ୍ଧୁ ସେନାପତି, ସାମ୍ୟବାଦୀ ନେତା କୃଷ୍ଣଚନ୍ଦ୍ର ରାଉତ, ରଞ୍ଜିତ ରଥ, ଶିକ୍ଷାବିତ ରତିକାନ୍ତ ଓଝା, ବ୍ରଜବିହାରୀ ମିଶ୍ର, କୃଷ୍ଣଚନ୍ଦ୍ର ପାତ୍ର, ଦଣ୍ଡପାଣି ସାହୁ, ବାଙ୍ଗୁରିଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ସେନାପତି, ଗୋପ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶୈଳେନ୍ଦ୍ର ରଥ, ଶିକ୍ଷାବିତ ଶାରଦା ପ୍ରସନ୍ନ ବେହେରା, ମହେଶ ସ୍ୱାଇଁ, NIC କମ୍ପ୍ୟୁଟର ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଈଶାନ ବାରିକ, ନିରଞ୍ଜନ ଓଝା ଓ ଗଙ୍ଗାଧର ଓଝାଙ୍କ ସମେତ ବିଭିନ୍ନ ଦଳ ଓ ମତର ଶତାଧିକ ଲୋକ ଯୋଗଦେଇଥିଲେ।
ସଭାରେ ନିମାପଡ଼ାର କୁଶଭଦ୍ରା ବ୍ରିଜ୍, ହରିପୁର ଭାର୍ଗବୀ ବ୍ରିଜ୍, ନିମାପଡ଼ା ମହାବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ସମେତ ଧାନ, ପାନ ଓ ମାଛକୁ କୁଟିକସ ମୁକ୍ତ କରିବା ପାଇଁ ବିଧାନସଭାରେ ତାଙ୍କ ଦୃଢ଼ ପ୍ରତିବାଦ, ଜମିଦାରୀ ପ୍ରଥା ଉଚ୍ଛେଦ, ଭୂଦାନ ଆନ୍ଦୋଳନ ତଥା ସ୍ୱାଧୀନତା ପରବର୍ତ୍ତୀ ନିମାପଡ଼ାର ନବନିର୍ମାଣରେ ସ୍ୱର୍ଗତ ମୋହନ ଦାସଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହାପରେ ନିମାପଡ଼ାର ଯୁବ ସଂଗଠକ ଆଦର୍ଶ ଦାସଙ୍କ ନେତୃତ୍ୱରେ ଶତାଧିକ ଯୁବକ ଏକ ବାଇକ୍ ଶୋଭାଯାତ୍ରାରେ ନିମାପଡ଼ା ବଜାର ପରିକ୍ରମା କରିଥିଲେ। ଶୋଭାଯାତ୍ରା ପରେ ନିମାପଡ଼ାର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଯୁବକମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଜନନାୟକ ମୋହନ ଦାସଙ୍କ ଆଦର୍ଶ, ସଂଗ୍ରାମ ଓ ନିମାପଡ଼ାର ବିକାଶ ପ୍ରତି ତାଙ୍କ ଅବଦାନକୁ ଆଜିର ପିଢ଼ି ମନେ ରଖିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।
















Leave a Reply