ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଶ୍ରୀଜଗନ୍ନାଥ ଚେତନା ମହୋତ୍ସବକୁ ନେଇ ନିମାପଡ଼ା ଚଳଚଞ୍ଚଳ

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୧୧ ଓ ୧୨ ତାରିଖରେ ଭକ୍ତି ଓ ସଂସ୍କୃତିର ମହାମିଳନ

ନିମାପଡ଼ା, ୦୩/୧୦ (ବି.ପ୍ର.) :
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ଓଡ଼ିଆ ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକ ଚେତନା ଓ ଭାଇଚାରାର ବାର୍ତ୍ତାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ଆୟୋଜିତ ହେଉଥିବା ଶ୍ରୀଜଗନ୍ନାଥ ଚେତନା ମହୋତ୍ସବକୁ ନେଇ ନିମାପଡ଼ା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଆସନ୍ତା ୧୧ ଓ ୧୨ ତାରିଖରେ ଶହୀଦ ସ୍ମୃତି ସଂସଦ ପରିସରରେ ଏହି ଦୁଇଦିନିଆ ମହୋତ୍ସବ ଅନୁଷ୍ଠିତ ହେବ।
ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ, ନିମାପଡ଼ା, ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସେଲ୍ଫ ଏମପାୱାରମେଣ୍ଟ ଏବଂ ଭୁବନେଶ୍ୱରସ୍ଥିତ ଜୟ କିରଣ ଟ୍ରଷ୍ଟର ମିଳିତ ସହଯୋଗରେ ଏହି ମହୋତ୍ସବର ଆୟୋଜନ କରାଯାଉଛି।
ମହୋତ୍ସବକୁ ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ଭକ୍ତିମୟ କରିବା ପାଇଁ ଆୟୋଜକ କମିଟିର ସଦସ୍ୟମାନେ ଦିନରାତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ଅତିଥି ସତ୍କାର, ପାନୀୟଜଳ, ସ୍ୱଚ୍ଛତା ଓ ଭକ୍ତମାନଙ୍କ ସୁବିଧା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଉଛି।
ମହୋତ୍ସବରେ ଶ୍ରୀମନ୍ଦିର ସେବାୟତ, ମଠାଧୀଶ, ବିଦ୍ୱାନ ପଣ୍ଡିତ, ସାଧୁସନ୍ଥ ଓ ଶ୍ରୀଜଗନ୍ନାଥପ୍ରେମୀମାନଙ୍କ ଉପସ୍ଥିତି ରହିବ। ଏଥିସହ ଭକ୍ତିମୟ ଓ ସାଂସ୍କୃତିକ ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି।
ଆଧ୍ୟାତ୍ମିକ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ
ସାଧୁସନ୍ଥ, ଶ୍ରୀମନ୍ଦିର ସେବକ, ମଠାଧୀଶ ଓ ପଣ୍ଡିତମାନ ଙ୍କୁ ପାଛୋଟି ଆଣିବା ଉଦ୍ଦେଶ୍ୟରେ ଦୋଳବେଦୀ ଛକଠାରୁ ମହୋତ୍ସବ ସ୍ଥଳ ପର୍ଯ୍ୟନ୍ତ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ମହୋତ୍ସବର ପ୍ରମୁଖ ଆକର୍ଷଣ ହେବ ବୋଲି ଆୟୋଜକ ମାନେ ଆଶା ପ୍ରକାଶ କରିଛନ୍ତି।
ଏକାଧିକ ଷ୍ଟଲରେ ଦେଖିବାକୁ ମିଳିବ ଶ୍ରୀଜଗନ୍ନାଥ ସଂସ୍କୃତି ମହୋତ୍ସବ ପରିସରରେ ମହାପ୍ରଭୁଙ୍କ ଲାଗିବସ୍ତ୍ର, ପୁଷ୍ପାଳଙ୍କାର, ଶ୍ରୀମହାପ୍ରସାଦ, ଶ୍ରୀମନ୍ଦିରରେ ବ୍ୟବହୃତ ବିଭିନ୍ନ ମାଟିପାତ୍ର, ଲାଗି ସାମଗ୍ରୀ ଓ ଉପଚାର ସାମଗ୍ରୀ ପ୍ରଦର୍ଶନ କରାଯିବ।
ଏଥିସହ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରଥ, ଚାପ, ଝୁଲଣ, ମଣିବିମାନ, ପାଲିଙ୍କି, କୁର୍ମ ପିଢ଼ା, ପିଢ଼ା, ଅବକାଶ ଖଟୁଲି, ରୁଖା, ଆଳତୀଦାନି ଆଦି ପାରମ୍ପରିକ ସାମଗ୍ରୀର ପ୍ରଦର୍ଶନ ପାଇଁ ବିଭିନ୍ନ ଷ୍ଟଲ ପ୍ରସ୍ତୁତ କରାଯାଉଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚେତନା ଓ ଓଡ଼ିଆ ଜାତିର ମହାନ ପରମ୍ପରାକୁ ଆଧାର କରି ଆୟୋଜିତ ଏହି ଦିବ୍ୟ ମହୋତ୍ସବକୁ ସଫଳ କରିବା ସହ ସମସ୍ତ ଜଗନ୍ନାଥପ୍ରେମୀ ଏଥିରେ ସାମିଲ ହୋଇ ସମଗ୍ର ଅଞ୍ଚଳକୁ ଜଗନ୍ନାଥମୟ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି।
— ବିଭୂତି ଟିଭି, ନିମାପଡ଼ା

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *