ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଗୋପରେ ଆବାସ ଦାବି ତେଜ: ଜରିପାଲ ତଳେ ଦୁଇ ପରିବାର, ତୁରନ୍ତ ଘର ପାଇଁ ‘ଜାଗ୍ରତ ଯୁବଶକ୍ତି’ର ଗୋପ BDO ଙ୍କୁ ଦାବି

ଗୋପ, ପୁରୀ: ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଗରିବ ଓ ଅସହାୟ ପରିବାର ଭଙ୍ଗା ଚାଳିଆରେ ଜରିପାଲ ଟାଣି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଅଭିଯୋଗକୁ ନେଇ ଗୋପ ବ୍ଲକରେ ଦାବି ଜୋରଦାର ହୋଇଛି। ନାଗପୁର ପଞ୍ଚାୟତ ଅନ୍ତର୍ଗତ ନେତପୁର ଗ୍ରାମର ସ୍ୱର୍ଣ୍ଣଲତା ବେହେରା ଓ ମାଳିସାହି ଗ୍ରାମର ରାନୁ ମହାପାତ୍ରଙ୍କ ପରିବାରକୁ ତୁରନ୍ତ ସରକାରୀ ଆବାସ ଯୋଗାଇବାକୁ ‘ଜାଗ୍ରତ ଯୁବଶକ୍ତି’ ସଂଗଠନ ଦାବି କରିଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଦୁଇ ପରିବାର ଦୀର୍ଘଦିନ ଧରି ଆବାସ ସୁବିଧାରୁ ବଞ୍ଚିତ ହୋଇ ଜରିପାଲ ତଳେ ଦିନ କାଟୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ଗୋପ ବ୍ଲକ ପ୍ରଶାସନକୁ ଅବଗତ କରାଇବା ପାଇଁ ସଂଗଠନର ସଦସ୍ୟମାନେ ଦୀର୍ଘ ସମୟ ଧରି BDOଙ୍କୁ ସାକ୍ଷାତ କରିବା ପାଇଁ ଅପେକ୍ଷା କରିଥିଲେ।
ପରେ ଅପରାହ୍ନ ୩ଟା ୦୬ ମିନିଟ୍ ସମୟରେ ସଂଗଠନର ପ୍ରତିନିଧିମାନେ ଗୋପ ବ୍ଲକର BDOଙ୍କୁ ସାକ୍ଷାତ କରି ଦୁଇ ଅଭାବୀ ପରିବାରଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ଏଥିସହ ନାଗପୁର ପଞ୍ଚାୟତରେ ଏଭଳି ଭାବେ ଜରିପାଲ ତଳେ ଜୀବନ ବିତାଉଥିବା ଅନ୍ୟ ପରିବାରମାନଙ୍କୁ ମଧ୍ୟ ଚିହ୍ନଟ କରି ଆବାସ ଯୋଗାଇବାକୁ ଦାବି କରାଯାଇଥିଲା।
ସଂଗଠନ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ସ୍ୱର୍ଣ୍ଣଲତା ବେହେରା ଓ ରାନୁ ମହାପାତ୍ରଙ୍କ ପରିବାରର ଆର୍ଥିକ ଓ ବାସସ୍ଥାନ ସମ୍ପର୍କିତ ତଥ୍ୟ ସହ ଜାଗାର ଭୌଗୋଳିକ ସ୍ଥିତି ସମ୍ପର୍କରେ ତଥ୍ୟ ଦିଆଯାଇଥିବା କୁହାଯାଇଛି।
ଆଲୋଚନା ସମୟରେ BDO ଦୁଇ ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଯଥାଶୀଘ୍ର ଆବାସ ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଏଥିସହ ଅନ୍ୟ ଯୋଗ୍ୟ ପରିବାରଙ୍କ ମାମଲା ମଧ୍ୟ ବିଚାରକୁ ନିଆଯିବ ବୋଲି BDO କହିଥିବା ସଂଗଠନ ଦାବି କରିଛି।
ଏହି ଦାବି ପୂରଣରେ ବିଳମ୍ବ ହେଲେ ଆଗାମୀ ଦିନରେ ଗୋପ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ‘ଜାଗ୍ରତ ଯୁବଶକ୍ତି’ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଗରିବ ଓ ଅସହାୟ ଲୋକଙ୍କ ସ୍ୱାର୍ଥ ପାଇଁ ସଂଗଠନର ଲଢ଼େଇ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
‘ଜାଗ୍ରତ ଯୁବଶକ୍ତି’ ସଂଗଠନର ସଂଯୋଜକ ସମୀର ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ଗୋପ ବ୍ଲକ ସଂଗଠକ ସନ୍ତୋଷ କୁମାର ନାୟକ, ଅକ୍ଷୟ ବେହେରା, ରାଜେନ୍ଦ୍ର ରାଉତରାୟ, ସୂର୍ଯ୍ୟକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି BDOଙ୍କ ସହ ଆଲୋଚନା କରିଥିଲେ।
ସମ୍ବାଦ ସେବା: ବିଭୂତି ଟିଭି (Bibhuti TV)

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *