କୁଶଭଦ୍ରା ନଦୀବନ୍ଧ ରାସ୍ତାର ଦୁରବସ୍ଥା ନେଇ ଚିନ୍ତା
ନିମାପଡ଼ା, ୨୩/୦୯ (ବିଭୂତି ଟିଭି):
ପ୍ରବଳ ଝଡ଼ବର୍ଷା ଓ ବାତ୍ୟା ସଦୃଶ ପରିସ୍ଥିତି ମଧ୍ୟରେ ମଧ୍ୟ ଜନସାଧାରଣଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇଛି ନିମାପଡ଼ାର ସାମାଜିକ ସଂଗଠନ ‘ଜାଗ୍ରତ ଯୁବଶକ୍ତି’। ସଂଗଠନ ପକ୍ଷରୁ କୁଶଭଦ୍ରା ନଦୀର ଡାହାଣ ପାର୍ଶ୍ୱରେ ଥିବା ନଦୀବନ୍ଧ ରାସ୍ତାର ଦୁରବସ୍ଥା ଅନୁଧ୍ୟାନ କରାଯାଇଛି।
ନିମାପଡ଼ା ବ୍ରିଜ୍ ଠାରୁ ଗୋପ ବ୍ରିଜ୍ ପର୍ଯ୍ୟନ୍ତ ମୁରାରୀପୁର, ବେଣୀପୁର ଦେଇ ଯାଇଥିବା ଏହି ନଦୀବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ବ୍ୟାହତ ହେଉଛି। ସଂଗଠନର କହିବା ଅନୁଯାୟୀ, ରାସ୍ତାର ଅନେକ ସ୍ଥାନରେ ପ୍ରାୟ ୨ରୁ ୩ ଫୁଟ୍ ଗଭୀର ଖାଲ ସୃଷ୍ଟି ହୋଇଛି।
ଏହି ରାସ୍ତା ଉପରେ ଅରିଷଣ୍ଢ, ଅଣ୍ଡରାଇଚ୍ଛାପୁର ଓ ଗଣେଶ୍ୱରପୁର ପଞ୍ଚାୟତର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭରଶୀଳ ଥିବା ସଂଗଠନ ପକ୍ଷରୁ କୁହାଯାଇଛି। ରାସ୍ତାର ଏପରି ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେଉଥିବାରୁ ଜରୁରୀ ସମୟରେ ରୋଗୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସେହିପରି ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ସମେତ ଛାତ୍ରଛାତ୍ରୀମାନେ ଗୋପ କଲେଜ ଓ ନିମାପଡ଼ା କଲେଜକୁ ଯିବା ସମୟରେ ନାନା ସମସ୍ୟା ଭୋଗୁଥିବା ଜଣାପଡ଼ିଛି।
ଏହି ପରିପ୍ରେକ୍ଷୀରେ ‘ଜାଗ୍ରତ ଯୁବଶକ୍ତି’ ପକ୍ଷରୁ ଅରିଷଣ୍ଢ, ଅଣ୍ଡରାଇଚ୍ଛାପୁର ଓ ଗଣେଶ୍ୱରପୁର ପଞ୍ଚାୟତର ମୁରବୀ, ଯୁବଗୋଷ୍ଠୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଇଛି। ରାସ୍ତାର ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା କରାଯିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏହି ଅନୁଧ୍ୟାନ ସମୟରେ ‘ଜାଗ୍ରତ ଯୁବଶକ୍ତି’ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର ଓ ଅଜୟ କୁମାର ପଣ୍ଡା ଉପସ୍ଥିତ ଥିଲେ।
















Leave a Reply