ପରୀକ୍ଷା ଫି ବୃଦ୍ଧି, ସୁରକ୍ଷା ଓ ମୌଳିକ ସୁବିଧା ନେଇ ଉଠିଲା ପ୍ରଶ୍ନ
ନିମାପଡ଼ା, ୦୯/୦୯: ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ଫି ବୃଦ୍ଧି, ଅଣଛାତ୍ରଙ୍କ ପ୍ରବେଶ କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ପରୀକ୍ଷା ଫି ୨୫୦ ଟଙ୍କାରୁ ବୃଦ୍ଧି ପାଇ ୧୫୦୦ ଟଙ୍କା ହୋଇଥିବାରୁ ଆର୍ଥିକ ଦୁର୍ବଳ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ପଡ଼ୁଛି। ଫି ବୃଦ୍ଧିର କାରଣ ସ୍ପଷ୍ଟ କରିବା ସହ ଏହା ଉପରେ କଲେଜ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଅଧିକାରୀମାନେ ଦୃଷ୍ଟି ଦିଅନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।
ସେହିପରି କଲେଜ ପରିସରରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶୃଙ୍ଖଳା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ସେମାନେ ଦାବି କରିଛନ୍ତି।
ଏହି ସମସ୍ୟାଗୁଡ଼ିକୁ ନେଇ ଛାତ୍ରଛାତ୍ରୀମାନେ କଲେଜର ଗେଟ୍ରେ ତାଲା ପକାଇ ନିଜର ପ୍ରତିବାଦ ଜଣାଇଥିବା ସୂଚନା ମିଳିଛି। ଖବର ପାଇ ନିମାପଡ଼ା ଥାନାର ସେକେଣ୍ଡ ଅଫିସର କୃଷ୍ଣ ଚନ୍ଦ୍ର ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଆଲୋଚନା ପରେ କଲେଜ ଗେଟ୍ରେ ଲଗାଯାଇଥିବା ତାଲା ଖୋଲାଯାଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀମାନେ ଉଠାଇଥିବା ସମସ୍ୟାଗୁଡ଼ିକର ସମାଧାନ ଦିଗରେ କଲେଜ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ଛାତ୍ରଛାତ୍ରୀଙ୍କ ନଜର ରହିଛି।
— BibhutiTV News Desk
ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅସନ୍ତୋଷ
















Leave a Reply