ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପାଣିରେ ବୁଡ଼ିଲା ଚାଷଜମି!ଧାନ ତଳି ବଞ୍ଚାଇବାକୁ ‘ଜାଗ୍ରତ ଯୁବଶକ୍ତି’ର ଦାବି

ଧାନ ତଳି ବଞ୍ଚାଇବାକୁ ପ୍ରଶାସନ ନିକଟରେ ‘ଜାଗ୍ରତ ଯୁବଶକ୍ତି’ର ଦାବି
ନିମାପଡ଼ା: ଚଳିତ ଖରିଫ ଚାଷ ଋତୁରେ ନାଳ ସଫେଇ ଅଭାବରୁ ନିମାପଡ଼ା ଅଞ୍ଚଳର ଦୁଇ ପଞ୍ଚାୟତ ଅଧୀନ ଅନେକ ଗ୍ରାମର ଶହ ଶହ ହେକ୍ଟର ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ଧାନ ତଳି ନଷ୍ଟ ହେବା ସହ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ଭିଲିଗ୍ରାମ ପଞ୍ଚାୟତର ବିଷ୍ଣୁପୁର, ବେଲକଣ, ଖେଦରପୁର, ଭିଲିଦେଉଳି, ଭିଲିଗ୍ରାମ, ସାହୁପଡ଼ା, ଝାମ୍ପୁଲାକୁଦ ଏବଂ ଭୋଗଶାଳଦା ପଞ୍ଚାୟତର ଅଂଶାଲୋ, ବଡ଼ରିକିଲୋ ଆଦି ଗ୍ରାମ ସଂଲଗ୍ନ ଗହୀରରେ ଏହି ସମସ୍ୟା ଦେଖାଦେଇଛି।
ଖବର ପାଇ ‘ଜାଗ୍ରତ ଯୁବଶକ୍ତି’ ସଂଗଠନର ଆବାହକ ଆଦର୍ଶ ଦାଶ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, ସଂଯୋଜକ ସମୀର ରଞ୍ଜନ ରାଉତରାୟ ଓ ଅଜୟ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁଇ ପଞ୍ଚାୟତର ଚାଷୀମାନଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଥିଲେ।
ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଗହୀରରୁ ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ନାଳଟି ଦୀର୍ଘ ବର୍ଷ ଧରି ସଫେଇ ହୋଇନଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ବେଲକଣ ଗ୍ରାମଠାରୁ ବାହାରି ବେଲପୋଖରୀ, ଖେଦରପୁର, ଭିଲିଗ୍ରାମ ଓ ସାଇଲୋ ଦେଇ କାଦୁଆ ଜୋରରେ ମିଶିଥିବା ନିଷ୍କାସନ ନାଳଟିକୁ ତୁରନ୍ତ ସଫେଇ କରିବାକୁ ଦାବି ହୋଇଛି।
ଏନେଇ ‘ଜାଗ୍ରତ ଯୁବଶକ୍ତି’ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ନିମାପଡ଼ା ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି।
ସଂଗଠନର ଆବାହକ ଆଦର୍ଶ ଦାଶ ଡ୍ରେନେଜ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗ କରି ସମସ୍ୟାର ବିସ୍ତୃତ ତଥ୍ୟ ଦେବା ସହ ତୁରନ୍ତ ନାଳ ସଫେଇ କରି ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ସଂଗଠନର ପରାମର୍ଶଦାତା ସମିତି ମୁଖ୍ୟ ପ୍ରସନ୍ନ କୁମାର ପତି, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ମିଶ୍ର, ସଂଯୋଜକ ସମୀର ରଞ୍ଜନ ରାଉତରାୟ ଓ ଅଜୟ କୁମାର ପଣ୍ଡାଙ୍କ ସମେତ ଦୁଇ ପଞ୍ଚାୟତର ଶତାଧିକ ଚାଷୀ ଧାନ ତଳି ବଞ୍ଚାଇବା ପାଇଁ ଯଥାଶୀଘ୍ର ନାଳ ସଫେଇ କରି ଚାଷଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *