ନିମାପଡ଼ା, ୨୫/୮ (ବିଭୁତି TV): କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା, ଅଧିକାର ଓ ଯୌନ ଉତ୍ପୀଡ଼ନ ନିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ପୋଶ୍’ (POSH) ଆଇନ ଉପରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ୍ ପକ୍ଷରୁ IQAC ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମିଳିତ ସହଯୋଗରେ “କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ, ନିଷେଧ ଏବଂ ପ୍ରତିକାର” ବିଷୟବସ୍ତୁକୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ କର୍ମଶାଳା ପରିଚାଳିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଭୁ ପଟ୍ଟନାୟକ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା, ଅଧିକାର ଓ ଆଇନଗତ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ IQAC ସଂଯୋଜିକା ଶ୍ରୀମତୀ ନନ୍ଦିନୀ ପଟ୍ଟନାୟକ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ମିଶ୍ର, ଶକ୍ତିଶ୍ରୀ ସେଲ୍ ସଂଯୋଜିକା ଡ. ପ୍ରିୟଦର୍ଶିନୀ ସାହୁ, ପ୍ରଶାସନିକ ଅଧିକାରୀ ଡ. ରବୀନ୍ଦ୍ର ନାଥ ପାଢ଼ୀ ଏବଂ ଅଧ୍ୟାପିକା ଡ. ଅଞ୍ଜନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମହିଳା ସୁରକ୍ଷା ଓ POSH ଆଇନର ବିଭିନ୍ନ ଦିଗ ଉପରେ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।
କର୍ମଶାଳାରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ। କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ, ଅଭିଯୋଗ ପ୍ରକ୍ରିୟା, ଆଇନଗତ ବ୍ୟବସ୍ଥା ଏବଂ ସୁରକ୍ଷିତ ପରିବେଶ ସୃଷ୍ଟି ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।
ମହିଳାଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ଭୟମୁକ୍ତ କର୍ମକ୍ଷେତ୍ର ସୃଷ୍ଟି କରିବାରେ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ୱ ବହନ କରେ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।
ବିଭୁତି TV — ଶିକ୍ଷା, ସଚେତନତା ଓ ସମାଜର ସ୍ୱର।
ନିମାପଡ଼ା କଲେଜରେ ‘ପୋଶ୍’ ଆଇନ ଉପରେ ଏକଦିବସୀୟ କର୍ମଶାଳା



















Leave a Reply