ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଯାଜପୁରରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର

ଡିଜିଟାଲ ସାମ୍ବାଦିକତାରେ ନୈତିକତା, ସତ୍ୟତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ
ଯାଜପୁର, ୨୩/୮ (ବିଭୁତି TV): ଡିଜିଟାଲ ଯୁଗରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା ଓ ନିର୍ଭରଯୋଗ୍ୟ ସମ୍ବାଦ ପରିବେଷଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାର ଷଠିପୁରଠାରେ ଏକ ଦିନିକିଆ କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହା ମହାସଂଘର ଦ୍ୱିତୀୟ କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର। ଏହି ଶିବିରରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ଯୋଗଦେଇଥିଲେ।
ମହାସଂଘର ରାଜ୍ୟ ସଭାପତି ମନୋଜ କୁମାର ଶତପଥୀ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମା’ ବିରଜାଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।
ପ୍ରଶିକ୍ଷକ ଅରବିନ୍ଦ ଦାସ ଏବଂ ନନ୍ଦିଘୋଷ ସାଟେଲାଇଟ୍ ଚ୍ୟାନେଲର ଯଯାତି କେଶରୀ ମହାନ୍ତି ଯୋଗଦେଇ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟପ୍ରଣାଳୀ, ଡିଜିଟାଲ ମିଡିଆର ବିକାଶ ଏବଂ ସାମ୍ବାଦିକତା କ୍ଷେତ୍ରରେ ଡିଜିଟାଲ ମିଡିଆର ବଢ଼ୁଥିବା ଭୂମିକା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ।
ଶିବିରର ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ। ଡିଜିଟାଲ ମାଧ୍ୟମରେ ଦ୍ରୁତ ଗତିରେ ସମ୍ବାଦ ପରିବେଷଣ ସହିତ ସାମ୍ବାଦିକଙ୍କ ନୈତିକ ଦାୟିତ୍ୱ, ତଥ୍ୟର ସତ୍ୟତା ଯାଞ୍ଚ ଏବଂ ନିର୍ଭରଯୋଗ୍ୟ ଖବର ପ୍ରସାରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଶିବିରରେ ଯୋଗଦେଇଥିବା ସାମ୍ବାଦିକମାନେ ଡିଜିଟାଲ ସାମ୍ବାଦିକତାର ବିଭିନ୍ନ ଦିଗ, ଖବର ସଂଗ୍ରହ, ତଥ୍ୟ ଯାଞ୍ଚ ଓ ଦାୟିତ୍ୱସମ୍ପନ୍ନ ସମ୍ବାଦ ପ୍ରସାରଣ ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅଂଶଗ୍ରହଣକାରୀ ସାମ୍ବାଦିକମାନଙ୍କ ପାଇଁ ପ୍ରାତଃ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ମହାସଂଘର ସମ୍ପାଦକ କବିରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଡିଜିଟାଲ ମିଡିଆ ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ସହିତ ଗୁଣାତ୍ମକ, ସତ୍ୟନିଷ୍ଠ ଓ ଦାୟିତ୍ୱସମ୍ପନ୍ନ ସାମ୍ବାଦିକତାକୁ ଆଗକୁ ନେବାରେ ଏହି ପ୍ରଶିକ୍ଷଣ ଶିବିର ଏକ ଉପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ସମସ୍ତ ସାମ୍ବାଦିକ ଓ ସହଯୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
— ବିଭୁତି TV

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *