ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅବକାରୀ ବିଭାଗର ବଡ଼ ସଫଳତା: ୮୦ ଗ୍ରାମ ବ୍ରାଉନସୁଗାର ସହ ନିଶା ବେପାରୀ ଗିରଫ

୨ଟି ବାଇକ୍, ବ୍ରାଉନସୁଗାର ଓ ବିଦେଶୀ ମଦ ଜବତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଅଭିଯାନ ଜୋରଦାର ହୋଇଛି। ବାଲିକୁଦା ଅବକାରୀ ଥାନା ପକ୍ଷରୁ ଭାରିଗଡ଼ ଗ୍ରାମ ବାଲିଯାତ୍ରା ପଡ଼ିଆ ନିକଟସ୍ଥ ଗଣେଶ ମନ୍ଦିର ସମ୍ମୁଖରେ ଚଢ଼ାଉ କରାଯାଇ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ କାବୁ କରାଯାଇଛି।
ଗୁଇନ୍ଦା ସୂଚନା ଆଧାରରେ ବାଲିକୁଦା ଅବକାରୀ ଥାନାର ସବ୍-ଇନ୍ସପେକ୍ଟର ନରେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଭାରିଗଡ଼ ଅଞ୍ଚଳରେ ଛଦ୍ମବେଶରେ ଜଗି ରହିଥିଲା। ଗ୍ରାହକଙ୍କୁ ନିଶାଦ୍ରବ୍ୟ ଯୋଗାଣ ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ବ୍ରାଉନସୁଗାର ନେଇ ଆସିବା ସମୟରେ ଅବକାରୀ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ।
ଅଭିଯୁକ୍ତଙ୍କ ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ନିଶା କାରବାରରେ ବ୍ୟବହୃତ ଏକ ହିରୋ ଗ୍ଲାମର ମୋଟରସାଇକେଲ (OD-21-E-6228) ମଧ୍ୟ ଜବତ କରାଯାଇଛି।
ଅଭିଯୁକ୍ତ ମୁସ୍ତାଫା ଶା, ବାଲିକୁଦା ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ମୁନା ଶାଙ୍କ ପୁଅ ବୋଲି ଜଣାପଡ଼ିଛି। ଦୀର୍ଘଦିନ ଧରି ସେ ଆଖପାଖ ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କରୁଥିବା ଅଭିଯୋଗ ରହିଥିଲା।
ଏହି ମାମଲାରେ NDPS Act, 1985 ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଜଗତସିଂହପୁର ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ଜାମିନ ନାମଞ୍ଜୁର କରି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ସୂଚନା ମିଳିଛି।
ଅଭିଯାନରେ କନେଷ୍ଟବଳ ନବଘନ ମାରାଣ୍ଡି, ପ୍ରତିମା ଜେନା ଓ କଲ୍ୟାଣୀ ସେଠୀ ପ୍ରମୁଖ ସାମିଲ ଥିଲେ।
ବିଦେଶୀ ମଦ ସହ ଆଉ ଜଣେ ଗିରଫ
ସେହିପରି ଅନ୍ୟ ଏକ ଘଟଣାରେ ଜଗତସିଂହପୁର ଅବକାରୀ ରେଞ୍ଜର ଇନ୍ସପେକ୍ଟର କ୍ଷିତିଶ ଦାସ ଓ ତାଙ୍କ ଟିମ୍ ବାଲିକୁଦା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ସିଂହାରପୁର ଗ୍ରାମର ସୁଜିତ କୁମାର ବେହେରା (୩୬)ଙ୍କୁ ଗୋପାଳପୁର କେନାଲ ରାସ୍ତାରେ ଅଟକାଇଥିଲେ।
ସେ ଏକ ହିରୋ ହୋଣ୍ଡା ମୋଟରସାଇକେଲ (OR-15-R-7318)ରେ ବିଦେଶୀ ମଦ ନେଇ ବିକ୍ରି କରିବାକୁ ଯାଉଥିବା ଅଭିଯୋଗ ହୋଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ ୪ ଲିଟର ୬୮୦ ମିଲିଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ନିଶା କାରବାରର ମୂଳ ପର୍ଯ୍ୟନ୍ତ ଯିବ ଅବକାରୀ ବିଭାଗ
ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ କାରବାରକୁ ଦମନ କରିବା ପାଇଁ ସ୍ୱତନ୍ତ୍ର ଅପରେସନ୍ ଚାଲିଥିବା ଜଗତସିଂହପୁର ଅବକାରୀ ଅଧୀକ୍ଷିକା ଶ୍ରୀମତୀ ଅନିତା ପ୍ରଧାନ କହିଛନ୍ତି। ନିଶାଦ୍ରବ୍ୟ କେଉଁଠାରୁ ଆସୁଛି ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟ୍‌ର ସନ୍ଧାନ କରାଯାଇ ନିଶା କାରବାରର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ବିଭାଗ ଅଣ୍ଟା ଭିଡ଼ିଥିବା ସେ କହିଛନ୍ତି।
ବିଭୁତି TV — ନିର୍ଭୀକ ସାମ୍ବାଦିକତା, ନିରପେକ୍ଷ ଖବର।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *