ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆକ୍ସନ୍ ମୁଡ୍‌ରେ ଅବକାରୀ ବିଭାଗ: ୨୫ ଗ୍ରାମ ହେରୋଇନ୍ ସହ ନିଶା ବେପାରୀ ଗିରଫ

ପାରାଦୀପ: ନିଶା କାରବାର ବିରୋଧରେ ଅବକାରୀ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ପାରାଦୀପ ଥାନା ଅନ୍ତର୍ଗତ ବିଶ୍ୱାଳି ଗ୍ରାମରେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ୨୫ ଗ୍ରାମ ହେରୋଇନ୍ ସହ ଗିରଫ କରିଛି ପାରାଦୀପ ଅବକାରୀ ଥାନା।
ଗିରଫ ଅଭିଯୁକ୍ତ ହେଲେ ବିଶ୍ୱାଳି ଗ୍ରାମର ଧନେଶ୍ୱର ଜେନାଙ୍କ ପୁଅ ସର୍ବେଶ୍ୱର ଜେନା। ଜବତ ହେରୋଇନ୍‌ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସର୍ବେଶ୍ୱର ଦୀର୍ଘଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ନେଇ ପାରାଦୀପ ଅବକାରୀ ଥାନାକୁ ସୂଚନା ମିଳିଥିଲା। ଗ୍ରାହକଙ୍କୁ ଯୋଗାଣ ପାଇଁ ସେ ହେରୋଇନ୍ ରଖିଥିବା ଖବର ପାଇବା ପରେ ଅବକାରୀ ଥାନାର ଉପନିରୀକ୍ଷକ ଧର୍ମପଦ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା।
ଅବକାରୀ ବିଭାଗର କର୍ମଚାରୀମାନେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ହେରୋଇନ୍ ଡିଲ୍ ବେଳେ ଅବକାରୀ ଟିମ୍ ଅଭିଯୁକ୍ତଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୨୫ ଗ୍ରାମ ହେରୋଇନ୍ ଜବତ କରାଯାଇଥିଲା।
ଗିରଫ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍, କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିଲା। ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।
ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କୌଣସି ମାମଲା ରହିଛି କି ନାହିଁ, ସେନେଇ ଅବକାରୀ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଏନେଇ ଜଗତସିଂହପୁର ଅବକାରୀ ଅଧୀକ୍ଷିକା ଶ୍ରୀମତୀ ଅନିତା ପ୍ରଧାନ କହିଛନ୍ତି ଯେ, ଅବକାରୀ ବିଭାଗ ନିଶା କାରବାରର ମୂଳ ପର୍ଯ୍ୟନ୍ତ ଯିବାକୁ ପ୍ରୟାସ କରୁଛି।
ସର୍ବେଶ୍ୱର କେଉଁଠାରୁ ହେରୋଇନ୍ ଆଣୁଥିଲେ ଏବଂ ଏହି କାରବାର ପଛରେ କୌଣସି ବଡ଼ ସିଣ୍ଡିକେଟ୍ କାମ କରୁଛି କି ନାହିଁ, ତାହା ନେଇ ତଦନ୍ତ ଜାରି ରହିଛି। ନିଶା କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି।
— ବିଭୁତି TV

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *