ନିମାପଡ଼ା, ୧୩/୮ (BT): ସ୍ୱାଧୀନତା ଦିବସ ପୂର୍ବରୁ ନିମାପଡ଼ାରେ ଦେଖିବାକୁ ମିଳିଛି ଦେଶପ୍ରେମର ଅଭୂତପୂର୍ବ ଝଲକ। ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ହରିପୁରରୁ ଆରମ୍ଭ ହୋଇଥିବା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପ୍ରାୟ ୩୦ କିଲୋମିଟର ପଥ ଅତିକ୍ରମ କରି ଚାରିଛକଠାରେ ଉଦଯାପିତ ହୋଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଏହି ଯାତ୍ରାରେ ହଜାର ହଜାର ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ମହିଳା ଓ ବୁଦ୍ଧିଜୀବୀ ହାତରେ ଜାତୀୟ ପତାକା ଧରି ସାମିଲ ହୋଇଥିଲେ। ତ୍ରିରଙ୍ଗାର ଲହରୀ ଓ ଦେଶପ୍ରେମର ନାରାରେ ନିମାପଡ଼ା ଅଞ୍ଚଳରେ ସୃଷ୍ଟି ହୋଇଥିଲା ଦେଶଭକ୍ତିର ମାହୋଲ।
ହରିପୁରରୁ ବାହାରିଥିବା ଶୋଭାଯାତ୍ରା ଶାଳଜଙ୍ଗ, ଭାଣପୁର, ରେଞ୍ଛ, ଖେଲାର ବଜାର, ଧନୁଆଁ, କାଜିପାଟଣା ଛକ, ରଟିଲୋ ଛକ, ନିମାପଡ଼ା ନୂଆବସଷ୍ଟାଣ୍ଡ, ଦୋଳବେଦୀ ଛକ ଦେଇ ଚାରିଛକରେ ପହଞ୍ଚିଥିଲା। ବିଭିନ୍ନ ସ୍ଥାନରେ ମହିଳା, ଯୁବକ, ଅଙ୍ଗନବାଡ଼ି କର୍ମୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ରାସ୍ତାକଡ଼ରେ ଠିଆ ହୋଇ ଫୁଲ ବର୍ଷା କରି ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିଥିଲେ।
ନିମାପଡ଼ା ନୂଆବସଷ୍ଟାଣ୍ଡଠାରେ ନିମାପଡ଼ା ଅଟୋ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ରାଜକିଶୋର ମିଶ୍ର, ପ୍ରଶାସନିକ ଅଧିକାରୀ ଡ. ରବୀନ୍ଦ୍ର ପାଢ଼ୀ ଓ ଅଧ୍ୟାପକ ମାନସରଞ୍ଜନ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ସଭାପତି ସାଇ ପ୍ରୀତମ ପଟ୍ଟନାୟକ, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ୱାଇଁ, ପ୍ରସନ୍ନ ଦାଶଙ୍କ ସମେତ ବହୁ ସରପଞ୍ଚ ଓ ବିଜେପି କର୍ମକର୍ତ୍ତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଅମର ସହିଦ ଓ ଦେଶପ୍ରେମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା, ଲୋକଙ୍କ ମନରେ ଜାତୀୟତାବୋଧ ଜାଗ୍ରତ କରିବା ଏବଂ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ସଫଳ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।
ଚାରିଛକର ବିଜେପି ଯୁବନେତା ମାନସ ସାହୁ ତ୍ରିରଙ୍ଗା ଯାତ୍ରାର ମୁଖ୍ୟ ପୃଷ୍ଠପୋଷକ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
‘ହର ଘର ତ୍ରିରଙ୍ଗା’ର ଏହି ବିଶାଳ ଶୋଭାଯାତ୍ରା ନିମାପଡ଼ାରେ ଦେଶପ୍ରେମର ଏକ ନୂଆ ଉତ୍ସାହ ସୃଷ୍ଟି କରିଥିବା ବେଳେ ଆସନ୍ତା ସ୍ୱାଧୀନତା ଦିବସ ପାଳନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଛି।


















Leave a Reply