ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆଗରେ ପାନ ବେପାର, ପଛରେ ଚୋରା ସାର! ଗାରୋଇରେ ପାନ ଦୋକାନ ଓ ଘରୁ ୧୯୦ରୁ ଊର୍ଦ୍ଧ୍ୱ ବସ୍ତା ରାସାୟନିକ ସାର ଜବତ

ନାଉଗାଁ, ୧୩ ଅଗଷ୍ଟ:
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗାରୋଇ ଛକ ନିକଟରେ ଏକ ପାନ ଦୋକାନ ଓ ଘରେ ଚଢ଼ାଉ କରି ୧୯୦ରୁ ଊର୍ଦ୍ଧ୍ୱ ବସ୍ତା ରାସାୟନିକ ସାର ଜବତ କରିଛି ପ୍ରଶାସନ। ଜିଲ୍ଲା କୃଷି ବିଭାଗ, ନାଉଗାଁ ତହସିଲ, ବ୍ଲକ୍ କୃଷି ବିଭାଗ ଏବଂ ନାଉଗାଁ ପୁଲିସର ମିଳିତ ଚଢ଼ାଉରେ ଏହି ସାର ଜବତ ହୋଇଛି।

ଚଢ଼ାଉ ସମୟରେ ଗାରୋଇ ଫାଣ୍ଡି ଅନ୍ତର୍ଗତ ଡାହାଣୀଖିଆ ଗ୍ରାମର ତାରକ ସାହୁଙ୍କ ପାନ ଦୋକାନ ଓ ଘରୁ ବିପୁଳ ପରିମାଣର ରାସାୟନିକ ସାର ମିଳିଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ବିନା ସରକାରୀ ସ୍ୱୀକୃତିରେ ସାର ବ୍ୟବସାୟ ଚାଲିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଗାରୋଇ ଛକରେ ଥିବା ଛୋଟ ପାନ ଦୋକାନଟିକୁ ସାମ୍ନାରେ ରଖି ଦୋକାନୀ ଜଣକ ପଛପଟେ ସାର ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। ଏପରିକି ଘରକୁ ସାର ଗୋଦାମ ଭାବେ ବ୍ୟବହାର କରାଯାଉଥିବା ଚଢ଼ାଉରୁ ଜଣାପଡ଼ିଥିବା କୁହାଯାଉଛି।

ଚଳିତ ଖରିଫ ଋତୁରେ ନାଉଗାଁ ବ୍ଲକ୍‌ରେ ପ୍ରାୟ ୭୫୪୫ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ସରକାରୀ ସ୍ତରରେ ବ୍ଲକ୍‌ର ୬ଟି ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ଆବଶ୍ୟକତା ଅନୁସାରେ ସାର ଯୋଗାଣ ହୋଇନଥିବା ନେଇ ଚାଷୀଙ୍କ ମଧ୍ୟରେ ଅଭାବ ଦେଖାଦେଇଛି। ଏହାର ସୁଯୋଗ ନେଇ ବେଆଇନ ସାର ବ୍ୟବସାୟୀମାନେ ସକ୍ରିୟ ହୋଇଥିବା ଅଭିଯୋଗ ରହିଛି।

ବିପୁଳ ପରିମାଣର ସାର ଜବତ ପରେ ଏହାର ଉତ୍ସ କେଉଁଠାରୁ, ଏହାର ମାନ କିପରି ଏବଂ ବିକ୍ରି ପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ—ସେନେଇ ପ୍ରଶ୍ନ ଉଠିଛି। ଦୀର୍ଘଦିନ ଧରି ଏତେ ପରିମାଣର ସାର ବିନା ଅନୁମତିରେ କିପରି ମହଜୁଦ ଓ ବିକ୍ରି ହେଉଥିଲା ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ମଧ୍ୟ ତଦନ୍ତ ଦାବି ହେଉଛି।

ପ୍ରଶାସନ ପକ୍ଷରୁ ଜବତ ସାରର ଯାଞ୍ଚ ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଗଲେ ଚୋରା ସାର ବ୍ୟବସାୟର ଚେର କେତେ ଦୂର ପର୍ଯ୍ୟନ୍ତ ରହିଛି, ତାହା ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ମହଲରେ ଆଶା ପ୍ରକାଶ ପାଇଛି।

— ବିଭୂତି TV | ନାଉଗାଁ, ଜଗତସିଂହପୁର

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *