ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଯମଜ କଦଳୀ

ଯମଜ କଦଳୀ

ନିତ୍ୟାନନ୍ଦ ମହାନ୍ତି

ବାଲେଶ୍ଵର

ପିଲାମାନଙ୍କ ପରୀକ୍ଷା l ଅନୁଷ୍ଠାନର ହେଡ୍ ଙ୍କ
ତାଗିଦ୍ ସକାଳୁ ସକାଳୁ ଯେମିତି ବ୍ରାହ୍ମଣ ଡାକି
ହୋମ କରାଯିବ l ପୂଜା ହେବ , ଭୋଗ ସମସ୍ତେ
ପାଇବେ l
ସକାଳ ସାଢେ଼ ଆଠଟା ବେଳକୁ ସବୁ କର୍ମଚାରୀ ଆସି ଗଣେଶ ମୂର୍ତ୍ତି ପାଖରେ ହାଜର lପୂଜା ଶେଷରେ ଟେବୁଲ୍ ଉପରେ ଥୋଇ ଦିଆଗଲା ଭୋଗ ଥାଳି l ସମସ୍ତେ ଭକ୍ତିରେ କେହି ନଡ଼ିଆ , କେହି ଅଙ୍ଗୁର , କେହି କେହି କମଳା, କଦଳୀ ପାଇଲେ l ମୁଁ ଦେଖିଲି ଗୋଟିଏ
ଡଉଲ ଡାଉଲ ଯମଜ କଦଳୀ ଭୋଗ ଥାଳିରେ ସେମିତି ଶେଷ ଯାଏଁ ପଡ଼ି ରହିଛି l ଭାବିଲି ବିଚରା କଦଳୀଟାର କି ଦୁର୍ଭାଗ୍ୟ ଯେ କେହି ଜଣେ ସ୍ନେହରେ ତାକୁ
ଗ୍ରହଣ କରୁ ନାହାନ୍ତି l ଠାକୁରଙ୍କ ଭୋଗକୁ ଅପମାନ ? ମତେ ଖୁବ୍ ଅସହ୍ୟ ମନେ ହେଲା l ହଠାତ୍ ଉଠିପଡ଼ିଲି ଭୋଗ ଥାଳିର ଏଇ ଅବହେଳିତ କଦଳୀକୁ ଧରି l ପ୍ରଥମେ ହେଡଙ୍କ ପାଖକୁ ଗଲି l ଭୋଗଟିକୁ ଆଦରରେ ଗ୍ରହଣ କରିବାକୁ ମହାଶୟଙ୍କୁ କହିଲି l ହେଡ଼ ବଡ଼ ସାଙ୍ଘାତିକ ଦିଶୁଥିଲେ ସେତେବେଳେ ଏଇ ଅସହାୟ ହୃଷ୍ଟପୁଷ୍ଟ କଦଳୀକୁ ଦେଖି l କହିଲେ – ଏକ୍ସ୍କ୍ୟୁଜ ମି l ଏଇଟା ଯେ ଯମଜ କଦଳୀ?
ମୁଁ ବ୍ୟସ୍ତ ହୋଇ କହିଲି – କଣ କିଛି ଅସୁବିଧା ହେବ କି? ଏ ଯେ ରମ୍ଭାଫଳ l ଏ ଫଳ ସେବନ କଲେ କିଛି ଉଦର ପୀଡ଼ା ଜାତ ହେବକି?
ହେଡ କହିଲେ – ନା ଆଜ୍ଞା, ସେମିତି ନୁହେଁ, କିନ୍ତୁ ଏହାର ଅନ୍ୟ ଏକ ଅଦ୍ଭୁତ ଶକ୍ତି ରହିଛି l ଏହାକୁ ଯିଏ ଖାଇବ ଏକାଥରକେ ଡବଲ ପିଲା ଜନ୍ମ କରିବ l
ଦୟାକରି ଆପଣ ଏହାକୁ ଆମ ପ୍ରାଣୀ ବିଜ୍ଞାନ ସାରଙ୍କୁ ଦିଅନ୍ତୁ l ସେ ଏହାର ତତ୍ତ୍ୱ ବୁଝେଇ ଦେବେ l
ଦେଖିଲି ଆମ ଅନୁଷ୍ଠାନର ମୁଖ୍ୟ କେଉଁଠି ନା କେଉଁଠି ଏକ ଅନାଗତ ଭୟ ଭିତରୁ ଉଦ୍ଧାର ପାଇବା ପାଇଁ ମତେ ଏପରି କହୁଛନ୍ତି l ଷାଠିଏ ବର୍ଷକୁ ଛୁଇଁବାକୁ ଯାଉଥିବା ଏ ବାବୁ ଜଣଙ୍କ ଅନାଗତ ପିତୃତ୍ୱର ଆଶଙ୍କାରେ ଖୁବ୍ ବେଶି ଆତଙ୍କିତ ହେଇ ଉଠୁଛନ୍ତି l ଭାବିଲି ଏ ବୟସରେ ସାର ନିଜ ଶରୀର ଉପରେ ଏଯାବତ୍ ବୋଧହୁଏ ନିୟନ୍ତ୍ରଣ ହରାଇ ପାରି ନାହାନ୍ତି l ମୁଁ ଜାଣିଛି
କଦଳୀ ଖାଇଲେ ଟେନିସ ଖେଳାଳିଙ୍କ ପରି ଶରୀରରେ ଦମ୍ ଆସେ l କିନ୍ତୁ ଏହାର ଆଣ୍ଟି ପ୍ରତିକ୍ରିୟା ଯେ ପ୍ରଜଯନ ଉପରେ ଆଶ୍ଚର୍ଯ୍ୟ ଜନକ ଶକ୍ତି ଗଦେଇ ଦେବ, ପୁଣି ଯୌବନର ଅସ୍ତଲଗ୍ନରେ , ଏହା ମତେ ଅଧିକ ଭାବୁକ କରି ଦେଉଥିଲା l ଛାଡ଼ , ଏଥର ପ୍ରାଣୀ ବିଜ୍ଞାନ
ସାରଙ୍କ ପାଖକୁ ଯିବା l
ବଡ ଉତ୍କଣ୍ଠିତ ହେଇ ତାଙ୍କ ପାଖରେ ପହଞ୍ଚି ସୁରମ୍ୟ ଏହି ଯମଜ କଦଳୀକୁ ହାତକୁ ବଢ଼େଇ ଦେଇଛି କି ନାହିଁ କେଉଁ ଏକ ଅଜଣା ଭୟରେ ଦି ପାଦ ପଛକୁ ଯାଇ ଏକ ଦିଫାଳିଆ ହସ ହସି କହିଲେ – ଆପଣ ଜଣେ ବରିଷ୍ଠ ଅଧ୍ୟାପକ ହେଇ ଏଇ କଦଳୀକୁ ମତେ ଦେଉଛନ୍ତି କିପରି?
ମୁଁ ଆଶ୍ଚର୍ଯ୍ୟ ହେଇ କହିଲି – ଏହା ଭୋଗ ମାତ୍ର lଯତ୍ନରେ ଆଣିଛି, କେବଳ ଆପଣଙ୍କୁ ଦେବା ପାଇଁ l ଅସୁବିଧା ମୋର କେଉଁଠି ରହିଲା କହିଲେ?
ତେର୍ଚ୍ଛା ହସ ହସି ଅଧ୍ୟାପକ ବଂଧୁ ଜଣଙ୍କ କହିଲେ –
ଏଥିରେ ବିପଦ ରହିଛି l ନଡ଼ିଆ ନିଜ ମୁଣ୍ଡରେ ନ ବାଡ଼େଇ ପର ମୁଣ୍ଡରେ ବାଡ଼େଇ କି ଲାଭ ପାଇବେ କହିଲେ? ମୁଁ କଣ ଢେଙ୍କାନାଳରୁ ଆସିଛି କି?

କିଛି ବୁଝି ପାରିଲି ନାହିଁ l ଟିକିଏ ଥତମତ ହେଇ କହିଲି – ଆପଣ ବୁଦ୍ଧିମାନ ଲୋକ ହେଇ ମୋ ଉପରେ ଦୋଷ ଲଦିଦେବାର ମାନେ କଣ?
ଚନ୍ଦା ମୁଣ୍ଡକୁ ଆଉଁସୁ ଆଉଁସୁ ଅଧ୍ୟାପକ ବଂଧୁ ଜଣଙ୍କ ଆଉ ଟିକିଏ ସମ୍ବେଦନଶୀଳ ମନ୍ତବ୍ୟ ଦେଇ କହିଲେ – ସିଙ୍ଗେଲ ଗର୍ଭ ଯନ୍ତ୍ରଣା ସମ୍ଭାଳି ହେବ , କିନ୍ତୁ ଡବଲ ଗର୍ଭ ଯନ୍ତ୍ରଣା ଯେ କି କଷ୍ଟ ଆପଣ ଜାଣିବେ କିପରି?
ମୁଁ ଆଶ୍ଚର୍ଯ୍ୟ ହେଇ କହିଲି – ଆପଣ ତ ନାରୀ ନୁହନ୍ତି, ଗର୍ଭ ବେଦନାର ପ୍ରସଙ୍ଗ ଉଠେଇବାର ମତଲବ କଣ?
ବଂଧୁ ଜଣଙ୍କ ପ୍ରାଣୀ ବିଜ୍ଞାନର ତତ୍ତ୍ୱ ବୁଝେଇ କହିଲେ – ଆଜ୍ଞା ଆପଣ ତ ଜାଣନ୍ତି ବିନା କାରଣରେ କଣ କାର୍ଯ୍ୟର ଉତ୍ପତ୍ତି ହୁଏ ? କଦଳୀ ଖାଇବୁ ଆମେ ପିଲା ଜନ୍ମ କରିବେ ଆମର ସେ? କହିଲେ କିଏ ଅଧିକ ଯନ୍ତ୍ରଣା ସମ୍ଭାଳିବେ?

କିଛି ନବାଗତ ଅବିବାହିତ ଅଧ୍ୟାପକ, ଅଧ୍ୟାପିକା ଥିଲେ, ସେମାନେ ବନ୍ଧୁଙ୍କର ଏପରି ଅସ୍ବାଭାବିକ ପ୍ରତିକ୍ରିୟାରେ କିର୍ କିର୍ ହେଇ ହସି ଉଠିଲେ l ଉତ୍ତୀର୍ଣ୍ଣ ବୟସ୍କ ବଂଧୁ ହଠାତ୍ ବିଜୁଳି ବେଗରେ ଖସି ଯିବାର ଦେଖି ଏଥର ନବାଗତ ଅଧ୍ୟାପକ ଅଧ୍ୟାପିକାଙ୍କ ହାତକୁ ସୁଦୃଶ୍ୟ ଯମଜ କଦଳୀକୁ ବଢ଼େଇଲି l କହିଲି – ଆପଣମାନେ
ଏହାର ସମୁଦାୟ ଅଂଶ ନ ନେଇ କିୟଦ୍ ଅଂଶ ଅନ୍ତତଃ
ପାଇ ଯାଆନ୍ତୁ l ଭୋକ ଲାଗିବଣି l
ଦେଖିଲି, ସେମାନେ ବି ତଦୃପ ଆତଙ୍କିତ ଅବସ୍ଥାରେ l ବଗୁଲିଆ ଅଧ୍ୟାପକ ଜଣଙ୍କ କହିଲେ – ଆମ୍ଭେମାନେ
ଏଯାଏଁ ଅବିବାହିତ l ବୈବାହିକ ଜୀବନରେ ଆନ୍ଦୋଳନ ଆସିବ ଯଦି ଏହାକୁ ଲାଭ କରୁଁ l ଅଧିକ ଦିନ ଜୀବନକୁ ଏଞ୍ଜୟ୍ କରି ହେବନାହିଁ l
ଉତ୍ସୁକତାର ସହ ମୋ ପାଟିରୁ ବାହାରି ପଡ଼ିଲା – ଆଜ୍ଞା,
କାହିଁକି ହେବନି l ଏ ଫଳଟିର ଭଲା ଅପରାଧ କଣ?
ଚଗଲା ଅଧ୍ୟାପକ ଜଣଙ୍କ କହିଲେ – ଆପଣ ଜାଣି ନାହାନ୍ତି ସାର୍, ଏହାକୁ ଭୋଗ କଲେ ସଂଗେ ସଂଗେ ଫ୍ୟାମିଲି ପ୍ଲାନିଂ ର ହିଁ ଆଶ୍ରୟ ନେବାକୁ ପଡ଼ିବ l ଥରକେ ଡବଲ ଇସ୍ୟୁ l
ମୁଁ ଆଶ୍ଚର୍ଯ୍ୟ ହେଇ କହିଲି – ୟେ ତ ଉତ୍ତମ କଥା l
ଗୋଟିଏ ଗୁଳିରେ ଦି ଦିଇଟା ଶିକାର l ଏଥିରେ ଜମା କ୍ଷତି ନାହିଁ, ଲାଭ ହିଁ ଲାଭ l
ଦେଖିଲି ପିଲାମାନଙ୍କ ମୁହଁ ଲାଜରେ ଲାଲ୍ ପଡ଼ିଯାଉଥିଲା, ଅଜଣା ପ୍ରମାଦ ଭିତରେ ଥାଇ ବହୁ ଈପ୍ସିତ ଯୁଗ୍ମ ଜୀବନର ତରଳ ଲାବଣ୍ୟକୁ ହଠାତ୍ ବାର୍ଦ୍ଧକ୍ୟ ଭିତରକୁ ଠେଲି ଦେବାକୁ ଚାହୁଁ ନ ଥିଲେ l
ସମସ୍ତଙ୍କ ଠାରୁ କଠୋର ଭାବରେ ପ୍ରତ୍ୟାଖ୍ୟାତ ହେଲା ପରେ ଏହି ଅସହାୟ ପୃଥୁଳ ପଦାର୍ଥଟି ଉପରେ ମୋର ଖୁବ୍ ଦୟା ଆସିଲା l କେହି ଜଣେ ଏହାକୁ ତ ଗ୍ରହଣ କରିବ? ଏହା ସତ୍ୟ ଯେ ସମସ୍ତେ ଜଣ ଜଣ କରି ତର୍କର ଜାଲ ବିଛେଇ ମତେ ବେକୁବ୍ ସଜେଇ ଦେଲେଣି ଏଇ ସାମାନ୍ୟ ଫଳକୁ ନେଇ l
ଭର୍ତ୍ତୃହରିଙ୍କ ଅସାମାନ୍ୟ ଅମୃତ ଫଳ ପରି ହେଇଥିଲେ ହୁଏତ ଏହି ଫଳ ଅନ୍ୟ ଏକ ରହସ୍ୟର କଥାକୁ ଦିଶା ଦେଖେଇ ଦେଇଥାନ୍ତା ନିଶ୍ଚୟ l ମାତ୍ର ଏହି ଦେବ ଭୋଗ୍ଯ ରମ୍ଭା ଫଳଟି ଏମିତି ଅଭିଶପ୍ତ ଯେ ଏହାକୁ ଛୁଇଁଲେ ପାପ l
ମାତ୍ର ମୁଁ ଏହାକୁ ଉପେକ୍ଷା କରିବାକୁ ଚାହେଁ ନାହିଁ l
କ୍ଷୀର ସିନ୍ଧୁ ମନ୍ଥନରୁ ସବୁ ଦୁର୍ମୂଲ୍ୟ ସମ୍ପଦକୁ,ଏପରିକି ଶେଷରେ ଉଦ୍ଭବ ଅମୃତକୁ ଦେବତା ମାନେ ପ୍ରାପ୍ତ କଲାପରେ ସର୍ଵ ଶେଷରେ ଯେଉଁ ଉତ୍କଟ ବିଷ ବାହାରିଥିଲା ତାକୁ ଯେମିତି ଶିବ ଆକଣ୍ଠ ପାନ କରି ନୀଳକଣ୍ଠ ହୋଇଥିଲେ, ମୁଁ ଠିକ୍ ସେହିଭଳି ଏହି ଯମଜ କଦଳୀକୁ, ସମ୍ଭବ ହେଲେ ସମଗ୍ର କଦଳୀକୁ ବିନା ଆପତ୍ତିରେ, ବିନା ଆତଙ୍କରେ ଉଦରସ୍ଥ କରି ଦେବି l
ଏମନ୍ତ ସିଦ୍ଧାନ୍ତରେ ପହଞ୍ଚିଲା ବେଳକୁ ଦେଖିଲି ମୋ ଚାରିପଟରେ ବେଢ଼ି ଯାଇଥାନ୍ତି ମୋର ସମସ୍ତ ସହକର୍ମୀ l ମୋର ଉଦ୍ୟତମୁଖୀ ମୁଖକୁ ଦେଖି ସେମାନେ ଏକ ସ୍ଵରରେ କହି ଉଠିଲେ – ସାରଙ୍କର ଜୟ ହେଉ l
ମୁଁ ପ୍ରଚଣ୍ଡ ଭାବରେ ପ୍ରକୋଷ୍ଠ କଂପେଇ ହସି ଉଠି କହିଲି – ଋତୁ ସଂହାର ପରେ ଆଉ ଥରେ ନବ ବସନ୍ତର ଉନ୍ମାଦନା l ପାରୁଛ ଯଦି ମୋ ଭଳି ଆଉ ଥରେ କାହିଁକି ବାରଂବାର ଜୀବନକୁ ଉପଭୋଗ କର l
ଦେଖିବ ଜୀବନ ଜୀବନ ଭଳି ଦେଖାଯିବ l
ସମସ୍ତେ ନୀରବ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *