ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ମୁଁ କଣ ବୁଢ଼ା ହୋଇଗଲି?

ରଞ୍ଜନ କୁମାର ସାହୁ
ଚଢ଼େଇଗାଁ,ଗୋପ,ପୁରୀ

ମୁଁ କେବେ ବୁଢ଼ା ହେଲି, ମୁଁ ଜାଣିନି ଗତକାଲି ପର୍ଯ୍ୟନ୍ତ ମୁଁ ଗାଁ ରାସ୍ତାରେ ସାଇକେଲ ଚଲାଉଥିଲି, ଧୂଳିଧୂସର ଦେହ, ଗଛଡ଼ାଳରେ ଡାଳି ମାଙ୍କୁଡି ଖେଳିଲା ବେଳେ ହାତ ଗୋଡ ଖଣ୍ଡିଆ ହୋଇଥିବା ଜାଗାକୁ ଗାମୁଛା ରେ ଲୁଚାଇ ଦେଉଥିଲି। ସାଙ୍ଗ ମାନଙ୍କ ସହ ଗୁଡି ଉଡାଉଥିଲି। ନଟୁ ଖେଳିଲା ବେଳେ ଶିକ୍ଷକଙ୍କୁ ଦେଖି ଲୁଚି ଯାଉଥିଲି।
ଆଜି, ମୁଁ ଏକୁଟିଆ ବାରଣ୍ଡାରେ ବସିଛି, ଛୁଆମାନେ ଖେଳୁଛନ୍ତି, କିନ୍ତୁ ତାଙ୍କ ହାତରେ ନଟୁ, କି ଗୁଡି ନାହିଁ। ସେମାନଙ୍କ ହାତରେ ଅଛି ଗୋଟାଏ ଲେଖାଏଁ ମୋବାଇଲ ଫୋନ।

ସପ୍ତାହାନ୍ତ କଣ, ଆମେ ଜାଣିନଥିଲୁ। ପ୍ରତିଦିନ ବିଦ୍ୟାଳୟ ଛୁଟି ପରେ ଆମକୁ ଏକ ପର୍ବ ପରି ଲାଗୁଥିଲା। ନଦୀ ଆମ ପାଇଁ ଥିଲା ସ୍ନାନାଗାର ଆଉ ନଦୀ କୂଳ ବରଗଛ ହେଉଥିଲା ଆମ ଘର।

ସେତେବେଳେ ସମୟ ଏକ ଶାନ୍ତ ଝରଣା ପରି ଥିଲା। ଧୀରେ ଧୀରେ ବହୁଥିଲା, ପ୍ରତିଟି ଋତୁ, ପ୍ରତିଟି ଖୁସି ଏବଂ ପ୍ରତିଟି ଦୁଃଖକୁ ଆସ୍ବାଦନ କରିବା ଆମ ପାଇଁ ସହଜ ଥିଲା। କିନ୍ତୁ ସେ ସମୟ ଏବେ କୁଆଡ଼େ ଗଲା ମୁଁ ଜାଣିନି। ସେ ସମୟ ଝରଣାର ସ୍ରୋତ ବଢ଼ି, ଏବେ ନଦୀ ହୋଇଗଲା, ସବୁକିଛି ବୋହି ନେଇଗଲା।

ଯିଏ ମୋର ହାତ ଧରି ସଂସାର କରିବାକୁ ଅସିଥିଲା ତା ସହିତ ଅନେକ ଖୁସି ବାଣ୍ଟିଛି, ସ୍କୁଟର୍ ରେ ବସେଇ ସିନେମା ଦେଖେଇବାକୁ ନେଇଛି, ଝଗଡ଼ା କରିଛି, ତଥାପି ଆମେ ଶାନ୍ତିରେ ଥିଲୁ। ପିଲାଙ୍କ ଲାଳନ ପାଳନ ତଥା କର୍ମମୟ ଜୀବନ ଭିତରେ ସେ କେତେବେଳ ମୋ ଦ୍ୱାରା ଅବହେଳିତ ହୋଇଗଲା, ମୁଁ ଜାଣି ପାରିଲିନି। ମୋ ଉପରେ ଅଭିମାନ କରି, ସଧବା ନାରୀର ସିନ୍ଦୂର ପିନ୍ଧି ସେ ମୋତେ ଛାଡି ଚାଲି ଯିବାର ଅନେକ ଦିନ ବିତିଗଲାଣି । ତାର ଶାଢ଼ୀକୁ ମୁଁ ସାଇତି ରଖିଛି। ଶାଢ଼ି ଭିତରେ ଥିବା ସେ ବାସ୍ନା ଚାଲି ଯାଇଛି, କିନ୍ତୁ ସ୍ମୃତି ଗୁଡାକ ସବୁ ସତେଜ ଅଛି।

ମୁଁ ଜାଣିନି, ମୋ ପିଲାମାନେ କେତେବେଳେ ବଡ଼ ହୋଇଗଲେ। ସେମାନଙ୍କ ପାଇଁ ମୁଁ ଚାକିରି କଲି, ଟଙ୍କା ରୋଜଗାର କଲି, ଶିକ୍ଷା ଦେଲି। ଏବେ ସେମାନେ ବିଦେଶରେ ରହି ମୋତେ ମେସେଜ୍ କରନ୍ତି ଓ ଟଙ୍କା ପଠାନ୍ତି। ବିଦେଶରୁ ଆସିବା ପାଇଁ ଅଧିକ ଖର୍ଚ୍ଚ ହୁଏ ବୋଲି, ତିନି ଚାରି ବର୍ଷ ରେ ଥରେ ଆସନ୍ତି। ସେମାନେ ଆସିଲେ ବହୁତ ଭଲ ଲାଗେ। କିନ୍ତୁ ସେମାନେ ଚାଲିଗଲାପରେ ଯେଉଁ ନିରବତା ଆସିଯାଏ ତାହା ବହୁତ କଷ୍ଟ ଦିଏ।

ମୋର ସେତେବେଳର ଶକ୍ତିଶାଳୀ ହାତ ଦୁଇଟା ଏବେ ଥରିବା ଫଳରେ ଧୋତି ବାନ୍ଧିବାରେ ଅସୁବିଧା ହୁଏ। ମଧୁମେହ ବେମାରି ଲାଗି ବାରମ୍ଵାର ପରିସ୍ରା ଲାଗେ। ପାହାନ୍ତିଆ ରୁ ନିଦ ଭାଙ୍ଗିଯାଏ। ବିଛଣାରୁ ଉଠିଲା ବେଳେ ସଳଖରେ ଗୋଡ ପକାଇବା କଷ୍ଟ ହୁଏ। ମନରେ ଯୁବାବସ୍ଥା ର ଉଦ୍ଦାମତା ଦେଖାଇ ନିଜେ ଚା ତିଆରି କରି ପିଏ। ସେତେବେଳେ ସାଙ୍ଗ ହୋଇ ପିଉଥିବା ଚା’ ର ସ୍ଵାଦ ଏବେ କିନ୍ତୁ ପାଏନା।

ଆଇନାକୁ ଦେଖିଲେ ବାପାଙ୍କ ବୃଦ୍ଧାବସ୍ଥା ଚେହେରା, ମୋ ଚେହେରା ରେ ପ୍ରତିଫଳିତ ହେଲାଭଳି ଲାଗେ। ଆରେ, ଏ କଣ, ମୋ ମୁହଁ ତ ବାପାଙ୍କ ମୁହଁ ଭଳି କୁଞ୍ଚିକୁଞ୍ଚି ହେଇ ଆସିଲାଣି। ଆରେ, ମୁଁ କଣ, ବୁଢ଼ା ହେଇଗଲି?
ରଞ୍ଜନ କୁମାର ସାହୁ
ଚଢ଼େଇଗାଁ,ଗୋପ,ପୁରୀ

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *